କେହି କାହାକୁ ଚିହ୍ନି ନ ଥିଲା ବେଳେ ହିଁ ସମସ୍ତେ ଆଗଭର ହୋଇ ପଡନ୍ତି ପରସ୍ପରକୁ ଚିହ୍ନିବାକୁ ।ଆଉ ଚିହ୍ନିଲା ପରେ ଛୋଟ ସରୁ ଗଳିଟିଏ ଖୋଜି ନିଅନ୍ତି ପରସ୍ପରଠୁ ଦୂରେଇ ଯିବାକୁ ।

ଏହାର କାରଣ ବିଷୟରେ ଜାଣିବାର ବିଶେଷ କିଛି ଆବଶ୍ୟକ ପଡେନା କାରଣ ଖୋଲା ଦରଜାକୁ କାହାର ନିଘା ନ ଥାଏ ..ଅସଲ ଦୃଷ୍ଟି ତ ରୁହେ ବନ୍ଦ ଦରଜା ଉପରେ ।ଏବେ କଥା ଆସୁଛି ଏଇଆ ଯେ ବନ୍ଦ ଦରଜା ଭିତରେ ଅଛି କଣ ??ଅର୍ଥାତ୍ ଏଇ “କଣ”ଟାକୁ ଖୋଜିବା ହିଁ ଅନ୍ଧାର ଘରର ରହସ୍ୟ ।ଅନ୍ଧାର ଘରର ରହସ୍ୟ ଜାଣିବା ହିଁ ସଂପର୍କର ପ୍ରଥମ ପାହାଚ ।

ଗୋଟିଏ ସାହିତ୍ୟ ସମାରୋହରେ ସାତୋଟି ପ୍ଲେଟ୍..ସାତୋଟି ଚାମଚ୍…ସାତୋଟି ଗ୍ଲାସ୍ ଏକା ସାଙ୍ଗରେ ହୋ ହା ହେଉଥିଲେ ।ସେମାନଙ୍କ ଧୂନ୍ ର ଆବାଜ୍ ରେ ଆଖ ପାଖର ସମସ୍ତେ ପଚାରୁଥିଲେ ଏ ବାସନ ଗୁଡା କୁଆଡୁ ଆଇଲେ??ଇସ୍..ଝଣ୍ ଝାଣ୍ ..ଟୁଂ ଟାଂ ଆବାଜ୍ ।ଭେରି ଇରିଟେଟିଂ …।କାହା କଥାକୁ ଖାତିର ନ କରି ପ୍ଲେଟ୍ ,ଚାମଚ୍ ,ଗ୍ଲାସ୍ ଗୁଡିକ ନିଜ ଖାଇବା ଉପରେ ଆଖି ରଖି ପାଟି ଚବ ଚବ କରୁଥିଲେ ।

ଛୋଟ ଚାମଚ୍ ଟି ଡେଇଁ ଡେଇଁ କହୁ ଥିଲା …

ବଢିଆ ..ଭାରି ମଜା ଲାଗୁଛି ।

ବଡ ଚାମଚ୍ ଟି ଆଖି ଗମ୍ଭୀର କରି କହୁଥିଲା …ଏ ସାହିତ୍ୟ ସଭାରୁ କିଛି ଶିଖିବାକୁ ଆସିଛ ନା ଖାଲି ଚବର ଚବର ହେବାକୁ ଆସିଛ ??ବଡ ଚାମଚ୍ ଟିର କଥା ଶୁଣି ଅନ୍ୟମାନେ ହସି ହସି କହି ଉଠିଲେ …ସାହିତ୍ୟ ଆଉ କଣ କି??ଆମର ଝଣଝାଣ୍ ଶବ୍ଦ ହିଁ ତ ସାହିତ୍ୟ ।

ସତ କହିବାକୁ ଗଲେ ସାହିତ୍ୟ ଖାଲି ଶବ୍ଦରେ ନ ଥାଏ …ତା ଲାଗି ଭାବ ର ବି ଆବଶ୍ୟକ ।ସା- ରେ- ଗା -ମା -ପା- ଧା -ନି -ସା ରୁ ଗୋଟିଏ ର ଧୂନ୍ ଯଦି ନଷ୍ଟ ହେଲା ତେବେ ସଂଗୀତ ବେସୁରା ହେଲା ଜାଣ ।ସଂଗୀତର ସୁର କରିବାକୁ ହେଲେ ଏହାର ସନ୍ତୁଳନତାର ଆବଶ୍ୟକ ହୋଇପଡେ ।

କୋଣାର୍କ ଟେ ଗଢିବାକୁ ହେଲେ ବାରଶହ ବଢେଇଙ୍କର ହାତ ଦରକାର ବନ୍ଧୁମାନେ ।ଏକା ଧର୍ମପଦ ଚୂଳି ମାରିବ ତାହା ପୁଣି ବାରଶହ ବଢେଇଙ୍କ ଛାତିରେ ଭରାଦେଇ ।ଯଦି ବାରଶହ ବଢେଇ ଟଳମଳ ହେଲେ ଧର୍ମପଦର ଅସ୍ତିତ୍ୱ ବି ଟଳମଳ ।ସାହିତ୍ୟ ର କୋଣାର୍କ ରେ ବାରଶହ ବଢେଇଙ୍କ ହାତ ଦରକାର ।ତା ହେଲେ ଯାଇ ଜୁଆର ଭଳି କୂଳ ଲଂଘିବ ସାହିତ୍ୟ ।

ବଡ ଚାମୁଚଟା ଗପ ଶୁଣାଉଥିଲା …ସମୟ କ୍ରମେ ଆଉ ସବୁ ଚାମୁଚ,ଗ୍ଲାସ୍ ,ପ୍ଲେଟ୍ ସବୁ ଛିନଛତର ହୋଇ କୁଆଡେ ଯାଇ ସାରିଥିଲେ ।ସେମାନଙ୍କର ଅସ୍ପଷ୍ଟ ପାଦ ଚିହ୍ନ ଖାଲି କୋଣାର୍କ ବାଲି ରେ ପଡି ରହିଥିଲା ଯାହା ।

ସାହିତ୍ୟ ସଭାରେ ସଂପର୍କର ଯେତୋଟି ପୃଷ୍ଠା ତିଆରି ହୋଇଥିଲା… ଗୋଟି ଗୋଟି କରି ସବୁ ଚିରି ଆସୁଥିଲା ……

LEAVE A REPLY

Please enter your comment!
Please enter your name here