ଆକାଶ ବାଣୀ ଜଣେଇ ଦେଇ ସାରିଥିଲା ପ୍ରବଳ ବର୍ଷା ହେବ ।ଲଘୁଚାପ ତିନି ଦିନ ଧରି ରହିବ ।ଘରେ ଘରେ ସବୁ ସତର୍କ ନିଜ ପାଇଁ।ଅନ୍ୟ କଥା ଭାବିବାକୁ ବେଳ କାହିଁ ??
ଦୀନବନ୍ଧୁ ବାବୁଙ୍କ ଘରେ ଯାଇଁନି ଏ ଯାଏଁ ବାହାଘରର ଗହଳ ଚହଳ ।ବର କନ୍ୟା ଏଇ କିଛିଦିନ ହେଲା ଘରେ ଆସି ପାଦ ଦେଇଛନ୍ତି ।ଅଷ୍ଟ ମଙ୍ଗଳା ପରେ ପୁଅ ବୋହୂକୁ ଛାଡି ଚାକିରି ଯାଗାକୁ ଯାଇଛି ।ସପ୍ତାହେ ପରେ ଫେରିବ କହି ।ଦୀନବନ୍ଧୁ ବାବୁ ଆକାଶକୁ ଚାହିଁ ମାନସିକଟେ ରଖିଲେ ଭଲରେ ଭଲରେ ଫେରିଆସୁ ପୁଅ ।
ରାତିରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ।ବ୍ୟସ୍ତ ହେବାର କିଛି ନାହିଁ ।ଘରେ ସଉଦା ସାମଗ୍ରୀ ଯଥେଷ୍ଟ ।ଗାଁ ସାରା ଲୋକ ଅଳ୍ପ ଆତଙ୍କରେ …
ଦୁଇ ଦିନ ହେଲା ତୁହାକୁ ତୁହା ବର୍ଷା ରେ ଶୋଇଗଲାଣି ମାଟି କାନ୍ଥ । କିଛି ଗାଈ ଗୋରୁ ଦମ୍ଭ ଧରି ଠିଆ ହୋଇଛନ୍ତି ସିମେଣ୍ଟକାନ୍ଥ ତଳେ , ଆଉ କିଛି ଜଳ ସଙ୍ଗେ ପତର ପରି ଭାସୁଛନ୍ତି ।ଘରେ ଘରେ ଠାକୁରଙ୍କ ଆଗରେ ଦୀପ ଜଳୁଛି ।ଭଜନ କୀର୍ତ୍ତନ ଚାଲିଛି ..ହେ ଇଶ୍ୱର ଆମକୁ ବଞ୍ଚାଇ ଦିଅ ଉଦ୍ଧେଶ୍ୟରେ ।

ଗାଁର ସନ୍ଥ ବାବା ଆଶ୍ରମରେ ଲୋକଙ୍କୁ ଦେଉଛନ୍ତି ଅଭୟ ବାଣୀ ।ସେ ସାଧନା କରୁଛନ୍ତି ।କିଛି ଗୋଟାଏ ସେ କରିବେ ନିଶ୍ଚୟ ।ଅଟକାଇ ଦେବେ ଏ ଘୋର ବନ୍ୟାକୁ ନିଜ ସିଦ୍ଧି ବଦଳ ରେ।ଟିକେ ଧେର୍ଯ୍ୟ ଦରକାର ।ତାଙ୍କ ଶିଷ୍ୟଙ୍କ ମୁଖ ନିସୃତ ବାଣୀ ଏହା ଯେ ସେ କାଳେ ଥରେ ଧମକାଇ ଦେଇ ଝଡକୁ ବି ଘୁଞ୍ଚାଇ ଦେଇଥିଲେ ।
ଗାଁ ଲୋକଙ୍କର ଅପାର ବିଶ୍ୱାସ ସନ୍ଥ ବାବା କିଛି କରିବେ ନିଶ୍ଚୟ ।ହାତ ଯୋଡି ସବୁ ଆଶାୟୀ ହୋଇ ବସିଛନ୍ତି ।

ଘୋଡା ମଦୁଆ,ଚରିତ୍ରହୀନ ବୋଲାଉଥିବା ଅନ୍ତା ବରଗଛ ଉପରେ ଚଢି ଆକାଶକୁ ଚାହୁଁଛି ।ଆକାଶରେ ଅନେକ ବାଟ ଯାଏଁ କଳା ମେଘ ।ସାମ୍ନା ଗାଁ ସବୁ ଧଳା ଧଳା ଦେଖା ଗଲାଣି ।ବେଶୀ ରୁ ବେଶୀ ବାର ଘଣ୍ଟା ଭିତରେ ଗାଁ ଭରିଯିବ ବନ୍ୟାପାଣିରେ ।
କମର ଭିଡି ଭେଳାଟିଏ ବନେଇଲା ଅନ୍ତା ।ସନ୍ଧ୍ୟା ହେଇ ଆସୁଛି ।ଗାଁ ସେପଟୁ ଯୋଗୀଟିଏ ହୁରି ପକେଇ ଆସୁଛି ।କିଏ କୁଆଡେ ଅଛ ସବୁ ଚାଲିଯାଅ ଉଚ୍ଚା ଜାଗାକୁ ।ତ୍ରାହି ନାହିଁ ଆଉ ।ଉଚ୍ଚା ଜାଗା କହିଲେ ପଡିଆର ସ୍କୁଲ୍ ଘର ।ସବୁ ଧାଁ ପଡ ହେଲେ ସେଇ ଆଡକୁ ।ଅଚାନକ ସୁ ସା ହୋଇ ପଶି ଆସିଲା ବନ୍ୟା ପାଣି ।ଘରେ ଘରେ ଖୁଣ୍ଟକୁ ଧରି ମଣିଷ ଖୋଜୁଛି ବଞ୍ଚିବାର ରାହା ।
ଆଶ୍ରମ ଭିତରେ ଭକ୍ତଗଣ ସନ୍ଥଙ୍କର ପାଦ ଜାବୁଡି ବସିଛନ୍ତି ।ଆମକୁ ରକ୍ଷା କର ପ୍ରଭୂ ।ଆମେ ସବୁ ତୁମ ଶରଣରେ ।

ସନ୍ଥ ଏବେ ଆତଙ୍କରେ ।ନିରୂପାୟ ।ଦେହରୁ ଗମଗମ ଝାଳ ।ଦୂରରୁ ଅନ୍ତାର ପାଟି ଶୁଭୁଥିଲା…ଆଶ୍ରମ ଭିତରେ କିଏ ଅଛ ମୋ ଭେଳାକୁ ଚାଲିଆସ ।ଆଗ ଡିଆଁ ମାରିଲେ ସନ୍ଥ ବାବା ଆଉ ତା ପରେ ଜଣେ ଜଣେ ହୋଇ ସବୁ ଭେଳାରେ ।ରାତି ସାରା ଲୋକ ବୁହା ଚାଲିଛି ।ଅନ୍ତାକୁ ସାହାଯ୍ୟ କରୁଛନ୍ତି କିଛି ଛୋଟ ବଡ ଯୁବକ ।
ଦୀନବନ୍ଧୁ ବାବୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ।ପୁଅ ଯାଇଛି ସହରକୁ ।ଯୌତୁକରେ ଆଣିଥିବା ଜିନିଷ ସବୁ ଭାସୁଛନ୍ତି ।ଟ୍ରଙ୍କ ଭିତରେ ଥିବା ଯୋତୁକ ନଗଦ ଟଙ୍କା ଗୁଡାକ ବି ନଷ୍ଟ । ବିଜୁଳି ନାହିଁ ।ଅନ୍ଧାର ଭିତରେ ଖାଲି ଯାହା ଆବାଜ ବାରି ଜାଣିବା କଥା କିଏ କେଉଁଠି ଅଛି ।ବାହାରେ ଅନ୍ତାର ପାଟି ଶୁଣି ସାହାଯ୍ୟ ଲାଗି ହୁରି ପକେଇଲେ ଦୀନ ବନ୍ଧୁ ।

ପାହାନ୍ତା ହୋଇ ଆସୁଛି ।ଗାଁ ର ସବୁ ମଣିଷ ପ୍ରାୟ ଉଚ୍ଚା ସ୍କୁଲ୍ ଘରେ ପହଞ୍ଚି ଗଲେଣି।ହଠାତ୍ ଦୀନବନ୍ଧୁ ପାଟିକରି ଉଠିଲେ ..ମୋ ବୋହୂ କାହିଁ?? ।ଅନ୍ଧାରରେ ସେ କେଉଁଠି ରହିଗଲା ଜାଣିହେଲାନି ।ଆମର ସବୁ ତ ଏଇଠି ହେଲେ ସେ କାହିଁ ??
ଉଦ୍ଧାରକାରୀ ସବୁ ହାଲିଆ ହୋଇ ଶୋଇ ପଡିଛନ୍ତି ଚଟାଣ ଉପରେ ।ଅନ୍ତା କାନ୍ଥକୁ ଢେରି ହୋଇ ଶୋଇଛି ।ଦୀନବନ୍ଧୁ ବାବୁ କାନ୍ଦୁଣୁ ମାନ୍ଦୁଣୁ ହୋଇ ଅନ୍ତାକୁ ହଲେଇ ଉଠେଇଲେ ।ସବୁ ଶୁଣି ଅନ୍ତା ଗାମୁଛା ରେ କଛା ମାରି ଉଠିଲା ପୁଣି ।ଦେହ ହାତ ଅବଶ ହେଇଯାଉଛି ହେଲେ ଗାଁ ର ନୂଆ ବୋହୂଟା ଯେ ଏ ଯାଏଁ ଘରେ…
ଭେଳାରେ ବସି କହିଲା ,ଚିନ୍ତା କରନି ମୁଁ ଯାଉଛି ।ଖୋଜିକି ଆଣିବି ତାକୁ ।ଏତକ କହି ଅନ୍ତା ଚାଲିଗଲା ।ସମସ୍ତେ ତା ଫେରିବା ବାଟକୁ ଅନେଇ ରହିଲେ ।
ନୂଆ ବୋହୂଟାର ମୁହଁ ବି ଦେଖିନି ଅନ୍ତା କେବେ ।ତଥାପି ଘର ସାମ୍ନାରେ “ନୂଆଉ”” ..ନୂଆଉ” କହି ଡାକିଲା ।କିଛି ସୋର ଶବ୍ଦ ନାହିଁ ।ଭେଳାକୁ ଗୋଟେ ଖୁଣ୍ଟରେ ବାନ୍ଧି ଅନ୍ତା ବେକେ ପାଣିରେ ପଶିଲା ଘରକୁ ।

ଏକ କଣ??ନୂଆଉ ଗୋଟେ କାଠ ପଟା କୁ ଧରି ଭାସୁଛି ।ଆଖି ବନ୍ଦ । ପଟା ସହ ଟାଣି ଆଣିଲା ନୂଆଉ ର ହାତ ଧରି ଭେଳା ଯାଏଁ ।ଭେଳା ଉପରେ ଚଢି ନୂଆଉ କୁ ଉପରକୁ ଟାଣି ଆଣିଲା ବେଳକୁ ତାର ଆଖି ବୁଜି ହୋଇ ଆସିଲା ।ଏ କଣ ନୂଆଉ ଦେହରେ ବ୍ଲାଉଜ ଖଣ୍ଡକ ଛଡା ଆଉ କିଛି ନାହିଁ ।ପାଣି ସ୍ରୋତରେ ସବୁ ଭାସି ଯାଇଛି ।
କିଛି ଉପାୟ ନ ଥିଲା ଆଉ ।ଅନ୍ତା ନିଜ କମରରୁ ଗାମୁଛାଟି ଖୋଲି ନୂଆଉ ର କମର ଉପରେ ପକେଇ ଦେଲା। ଏବେ ଅନ୍ତା ର ଦେହରେ ଖଣ୍ଡେ ମାତ୍ର ଅନ୍ତର୍ବସ୍ତ୍ର ଯାହା ।
ଡାକିଲା ନୂଆଉ..ନୂଆଉ…କିଛି ସୋର ଶବ୍ଦ ନାହିଁ ।

ନୂଆଉ…ବଞ୍ଛିଛି ତ??ଅନ୍ତା ନୂଆ ବୋହୂଟିର ନିଃଶ୍ୱାସ କୁପରଖିଲା ।ହଁ,ନିଃଶ୍ୱାସ ଚାଲିଛି ।ହାତ ହଲେଇ କେତେ ଡାକିଲା ପରେ ନୂଆଉ ଉଁ ବୋଲି କହିଲା ।
ଅନ୍ତା କହିଲା ଗାମୁଛାଟି ଠିକ୍ ରେ ପିନ୍ଧିନିଅ ନୂଆଉ।ବ୍ୟସ୍ତ ହୁଅନି ,ମୁଁ ଆସି ଗଲିଣି । ନୂଆଉ ର ଦେହ ଅବଶ ଆଉ ବରଫ ପରି ଥଣ୍ଡା ।ହାତ ଗୋଡ ହଲୁନି ।
ଅନ୍ତା ନିରୂପାୟ ହୋଇ ନିଜେ ହିଁ ପିନ୍ଧେଇ ଦେଲା ନୂଆଉ କୁ ଗାମୁଛା ଟି ।ଜୀବନରେ କେତେବାର ସେ ନାରୀ ର ଦେହ ଦେଖିଛି ହେଲେ ଆଜି ପ୍ରଥମ ଥର ଲାଗି ତା ଆଖିରୁ ଲୁହ ଟୋପେ ଝରିଗଲା ।
ନୂଆଉକୁ ଗାମୁଛାଟି ଗୋଡେଇ ସାରିଲା ପରେ ନୂଆଉର ପାଦ ଧରି ଜୁହାରଟେ ହୋଇ ପଡିଲା ଅନ୍ତା ।
ଭେଳା ସ୍କୁଲ୍ ଘର ପାଖରେ ପହଞ୍ଚିଲା ବେଳକୁ ସମସ୍ତେ ତଟକା ହୋଇ ଅନେଇଛନ୍ତି ଦୁହିଁଙ୍କର ବେଶ ଭୂଷାକୁ …ଅନ୍ତା ନୂଆଉ ର ଅଧା ଘୋଡା ଦେହକୁ ନିଜେ ଅଧା ମୁକୁଳା ହୋଇ ହାତରେ ଟେକି ଟେକି ଆଣୁଛି ।ଇସ୍…ଘୋର ଅନ୍ୟାୟ..ଘୋର ପାପ…ଘରର କୂଳ ବୋହୂଙ୍କ ଇଜ୍ଜତ ଗଲା ।ସଂସ୍କାର ଲାଜ ଲଜ୍ଜା ସବୁ ଗଲା ।ନୂଆ ବୋହୂଟା ନଷ୍ଟ ହୋଇଗଲା ।ଘୋର ବିପତ୍ତି…ଧର୍ମ ସହିବନି ବୋଲି ବାବା ସନ୍ଥ କହି ଉଠିଲେ ।
ସନ୍ଦେହର ମାଛି ଘଣ ଘଣ ହୋଇ ବୁଲି ଆସିଲା ଚାରିଆଡେ ।
ସବୁ ତଟକା ମାରି ଶୁଣୁଥିଲେ…ଆଖି ଫାଡି ନୂଆ ବୋହୂର ଅଙ୍ଗ ସୌଷ୍ଠବକୁ ବି ଲକ୍ଷ୍ୟ କରୁଥିଲେ । ଆହା …ଚୁ ଚୁ….କରୁଥିଲେ ।କିଛି ଲୋକ ମୁରୁକି ହସା ବି ମାରୁଥିଲେ ।ଦୀନବନ୍ଧୁବାବୁ ମୁଣ୍ଡ ତଳକୁ କରି ବସିଥିଲେ ।

ବନ୍ୟା ଛାଡି ଯାଇଥିଲା ।ଭଙ୍ଗା ଘର ଧୀରେ ଧୀରେ ପୁଣି ମୁଣ୍ଡ ଟେକିଲା ।ଚାକିରି ଜାଗାରୁ ଦୀନବନ୍ଧୁ ଙ୍କ ପୁଅ ଫେରିଲା ହେଲେ ରାତି ରେ ଘର ପିଣ୍ଡା ରେ ଶୋଇଲା ।ଗାଁ ସାରା ଟୁପ୍ ଟାପ୍ …ଚୁପ୍ ଚାପ୍….ଠରା ଠରି…ହସା ହସି…..ଖୁଁ ଖାଁ ର ସଂକେତ …ସବୁକିଛି ।
ଅନ୍ତାର ଚରିତ୍ରହୀନ ସଂଜ୍ଞାଟା ଆହୁରି ଦୃଢ ହେଉଥିଲା ।ଆଉ ନୂଆ ବୋହୂଟି ବିଷୟରେ ଆଲୋଚନା ଗୁମୁରି ଗୁମୁରି ହେଉଥିଲା ।
ଦିନେ ରାତିରେ ଅନ୍ତା ଫେରିଲା ବେଳେ ଶୂନ୍ୟରୁ ଗୋଟେ ଲାଠି ପାହାର ବାଜିଲା ।ମୁଣ୍ଡ ଫାଟି ଦୁଇ ଫାଳ ।ସେଇଠି ହିଁ କାମ୍ ଖତମ ।
ସନ୍ଥ ବାବା ଅଭୟ ବାଣୀ ଦେଉଥିଲେ ।ପାପ ବଢିଗଲେ ଚାରିହାତିଆ ର ମାଡ ପଡେ ଉପରୁ ।ସେଇ ମାଡ ଅନ୍ତା ଉପରେ ହେଲା ।ଏବେ ଗାଁ ପାପ ମୁକ୍ତ ।ସମସ୍ତେ ଆଶ୍ୱସ୍ତ ହେଲେ ।ଦୀନବନ୍ଧୁଙ୍କ ମୁହଁରେ ଟିକେ ହସ ଚହଟିଗଲା ।
ତା ପରଦିନ ଗୋଟିଏ ଶୂନ୍ ଶାନ୍ ସକାଳରେ ଗାଁ ର ଠାକୁର ପୋଖରୀରେ “ନୂଆ ବୋହୂ” ଟିର ଶବ ଭାସୁଥିଲା ।
ଦୂରରୁ ଭାସି ଆସୁଥିଲା ସନ୍ଥ ବାବାଙ୍କ ଆଶ୍ରମରୁ ଶଙ୍ଖ ଘଣ୍ଟ ଆଳତୀର ପବିତ୍ର ଧ୍ୱନୀ ।

LEAVE A REPLY

Please enter your comment!
Please enter your name here