ସେ ଝିଅଟି ବାର ବାର୍ ମୋ ପାଖକୁ ଆସୁଥିଲା ।ତା ଆସିବାର ମାନେ ଏହା ନ ଥିଲା ଯେ ତାକୁ କିଛି ରାସ୍ତା ଜଣା ନ ଥିଲା ! ତା ପାଖରେ ଅନେକ ରାସ୍ତା ଥିଲା ହେଲେ ଭଲ ରାସ୍ତା ଟେ ର ଅନୁସନ୍ଧାନରେ ସେ ମୋ ପାଖକୁ ଆସୁଥିଲା ।

ମୁଁ କହିଲି ଅପେକ୍ଷା କରନା ତାକୁ ଆଉ ।ଭୂଲିବା ତ ଖୁବ୍ କଷ୍ଟକର କଥା ହେଲେ ତୋତେ ଯିଏ ଭଲ ପାଉନି ତା ଲାଗି ଏତେ ଅପେକ୍ଷା କରି ଆଉ ଲାଭ କଣ ଯେ?
ଝିଅଟି ଅପଲକ ନୟରେ ମୋତେ ଦେଖିଲା.ତା ଆଖିରେ ଲୁହ ଥିଲା ।ସେ କାନ୍ଦୁଥିଲା.ବାରବାର୍ ତା ପ୍ରେମ ଅନୁଭବକୁ କହି ସେ ଭାଙ୍ଗି ପଡୁଥିଲା ।ଏ ଗୁଡିକ ବର୍ଣନା କଲା ବେଳେ ସେ ବୋଧେ ଗୋଟିଏ କଷ୍ଟର ଆନନ୍ଦକୁ ଉପଭୋଗ କରୁଥିଲା ।ମୁଁ ଦେଖି ପାରୁଥିଲି ସେ କାନ୍ଦିବା ଲାଗି କେତେ ଆତୁର ହେଉଥିଲା ।ସେ ଠିକ୍ ଜାଣିଥିଲା ତାକୁ କଣ କରିବାକୁ ହେବ ତଥାପି ସେ ମୋତେ ମୋର ରାୟ ମାଗୁଥିଲା କେଉଁଟି ଠିକ୍ ଆଉ କେଉଁଟି ଭୂଲ୍ ।

ମୁଁ ସେଇ ଗୋଟିଏ କଥା ହିଁ ବୁଝାଉଥିଲି.ସମୟକୁ ବହିବାକୁ ଦେ ।ସବୁ ଅନୁଭବ ବି ବୋହିଯାଉ ।ତୁ ତାକୁ ଜାବୁଡି ଧରନା..ଜାବୁଡି ଧରିଲେ କଷ୍ଟ ପାଇବୁ ।ସେ କିନ୍ତୁ ତା ଅନୁଭବକୁ ପ୍ରବଳ ଭାବରେ ଜାବୁଡି ଧରୁଥିଲା.କୋହରେ ଧକାଉଥିଲା…ନିଜର ଅସହାୟତାକୁ ବଖାଣୁଥିଲା ।

ସେ ଅନେକ କାନ୍ଦିଲା…ମୁଁ ଅନେକ ବୁଝେଇଲି ।
ଅନେକ ବୁଝାଇଲା ପରେ ସେ ବୋଧେ କିଛି ବୁଝିଲା ଅବା କାନ୍ଦି କାନ୍ଦି ଥକି ଯାଇଥିବାରୁ ବୁଝିବାର ଅଭିନୟ କଲା ।ଆଖି ପୋଛି ଲୁହ ଝାଡି ଠିଆ ହେଲା ।ମୁହଁରେ ଟିକେ ହସ ଫୁଟେଇଲା ।ଦେହର ଓଢଣୀକୁ ସଜାଡି ନେଲା …କହିଲା,ଦିଦି ଯାଉଛି ।ତୋତେ ବହୁତ ଧନ୍ୟବାଦ ମୋ ଅସମୟରେ ମୋ ମନ କଥା ବୁଝି ମୋତେ ବୁଝେଇ ପାରିଛୁ ବୋଲି ।

ମୁଁ ଟିକେ ହସିଲି କହିଲି ,ଭଲରେ ଥା ସବୁବେଳେ ।
ସେ ବାହାରିଗଲା ମୋ ରୁମ୍ ରୁ ।ସିଢିରୁ ତା ଜୋତାର ଆବାଜ୍ ଧିରେ ଧିରେ ଅସ୍ପଷ୍ଟ ହୋଇ ଆସୁଥିଲା ।ମୁଁ ଝରକା ଦେଇ ତାକୁ ଅନେଇଲି ।ସେ ଗେଟ୍ ଖୋଲିଲା ଆଉ ଆଗରେ ଥିବା ଗୋଟେ ଆଇସକ୍ରିମ୍ ଦୋକାନରୁ ଆଇସକ୍ରିମ୍ ଟେ କିଣି ଚାଟି ଚାଟି ଖୁସିରେ ଖାଇଲା ।

ମୁଁ ଆଶ୍ଚର୍ଯ୍ୟ ହେଲି ..ସେ ଏତେ ଜଲଦି ଗୋଟେ ଦୁଃଖର ପାହାଡକୁ କେମିତି ଅତିକ୍ରମ କରି ପକେଇଲା??
ଅନେକ ଭାବିଲା ପରେ ଜାଣି ପାରିଲି ଏସବୁ ପଛରେ “ଲୁହ”ର ହାତ ଅଛି ।ଆଖିରୁ ଲୁହ ଗଡିଗଲେ ସେଇ ଲୁହରେ ବୋଧେ ଗଡିଯାଏ ପୁଞା ପୁଞା ଦୁଃଖର ପାହାଡ ।

ସେ ଝିଅଟି ଆଉ କେହି ନ ଥିଲା..ସେ ମୋ ମାମୁଁ ଝିଅ ଭଉଣୀ “ମିଲି ” ହିଁ ଥିଲା “ମିଲି “ତ ଚାଲିଗଲା ହେଲେ ହଠାତ୍ ମୋର ତା ଲାଗି ଇର୍ଷା ଜାଗି ଉଠିଲା ।ତା ଆଖିର ଲୁହ କୁ ଦେଖି ।କେତେ ସହଜରେ ସେ କାନ୍ଦି ପାରୁଥିଲା ଆଉ ନିଜ କଥା ବଖାଣି ପାରୁଥିଲା?? ।ହେଲେ ମୁଁ ବି ତ ପ୍ରେମରେ ଧୋକା ଖାଇଛି କିନ୍ତୁ ମୁଁ କାହିଁକି କାନ୍ଦି ପାରିନି ??ନିଜ ଦୁଃଖ କାହାକୁ କାହିଁକି କହି ପାରିନି ??ମିଲି ଭଳି ପ୍ରେମରେ ଧୋକା ଖାଇଲେ ବି ଖୁସିରେ ଆଇସ୍କ୍ରିମ୍ ଖାଇ ପାରିନି ତତ୍ କ୍ଷଣାତ୍ ।

ମୋ ଆଖିରେ ଲୁହ ବରଫ ପାଲଟି ଯାଇଥିଲା ।ମୁଁ ପଥର ପାଲଟି ଯାଇଥିଲି ବୋଧେ ।ଅୟୁତ ଯୁଗର ଦୁଃଖକୁ ମୁଁ ଯେମିତି କାନ୍ଧରେ ବୋହି ଚାଲିଛି ।ହଁ,ମୁଁ ମୋ ନିଜକୁ ସମ୍ଭାଳି ନେଇଛି ହେଲେ ସମ୍ଭାଳି ନେବା ଆଉ ସେ ଦୁଃଖରୁ ବାହାରି ଆସିବା ଦୁଇଟା ଅଲଗା କଥା ।

ପ୍ରଥମ ଥର ଲାଗି ମୁଁ ଅନୁଭବ କଲି ..ହୁଏତ ମୁଁ ବି କାନ୍ଦି ପାରନ୍ତି କି ତା ଭଳି..।ଛାତି ଫଟେଇ ସବୁ କୋହକୁ ମୁଁ କାଢି ପାରନ୍ତି କି ନିଜ ଭିତରୁ ?କା ଆଗରେ ଖୋଲି କହି ପାରନ୍ତି କି ମୋ ସହ ଘଟିଥିବା ସବୁ ପ୍ରେମ ଆଉ ଅପ୍ରେମର କଥା..??

ହେଲେ ମୋ ସହ ସେମିତି କିଛି ହେଉ ନ ଥିଲା ।ମୋ ଭିତରେ ତିଆରି ହୋଇଯାଇଥିବା ବରଫ ପାହାଡଟି ତରଳିବାକୁ ନାରାଜ ଥିଲା ।ମୁଁ ଭାରାକ୍ରାନ୍ତ ହେଉଥିଲି ।ମୁଁ ଖୋଜୁଥିଲି ଟୋପାଏ ଲୁହ.ମାତ୍ର ଟୋପାଏ ଲୁହ ଯାହା ମୋର ସବୁ କଠିନତାର ବାଡ ବତା ଭାଙ୍ଗି.ଦେବ ମୋ ନିସ୍ତେଜ ଇନ୍ଦ୍ରିୟ ସବୁ ସଚଳ କରିଦେବ!

ଦିନେ ହଠାତ୍ “ମିଲି” ଆସି କହିଲା.ଜାଣିଛୁ ଦିଦି ,ମୁଁ ଏବେ ପୁଣି ଏକ ନୂଆ ପ୍ରେମରେ.ତା ମୁହଁ ରେ ହସ ଥିଲା ।ମୁଁ ଖୁବ୍ ଖୁସି ହେଲି ।ଯା ହେଉ ଅନ୍ତତଃ ସେ ସମୟ ସହ ତାଳ ଦେଇ ବଞ୍ଚିବା ଶିଖୁଛି ।ନିଜ ମୁହଁ ର ହସ ସେ ନିଜେ ବଜାୟ ରଖିପାରୁଛି ।ପୁରୁଣା ପ୍ରେମକୁ ଝୁରି ଝୁରି ବୟସ ସାରିବାର ମାନସିକତା ତାର ନାହିଁ ।ପରିସ୍ଥିତିକୁ ହାଲକା ଭାବରେ ଗ୍ରହଣ କରି ପାରିଛି ।

ହେଲେ ମୁଁ ସେଇ ଜରଦଗବ ହୋଇ ବସିଥିଲି ।ନା ପୁରୁଣା ପ୍ରେମକୁ ଭୂଲି ପାରୁଥିଲି ନା ନୂଆ ପ୍ରେମଟେ ଆପଣେଇ ପାରୁଥିଲି ,ନା ନିଜେ ମୁଁ ହାଲୁକା ହୋଇପାରୁଥିଲି ।

ନିଜକୁ ହାଲୁକା କରିବାକୁ ଟୋପେ ଲୁହ ଦରକାର.ଯାହାକୁ ଖୋଜିବାରେ ମୁଁ ବ୍ୟସ୍ତ ରହିଲି ।
ମୁଁ ଗଲି ସେହି ସେହି ଜାଗାକୁ ଯେଉଁଠି ସଂବିତ୍ ଙ୍କ ସହ ହାତ ଧରି ମୁଁ କଟାଇଥିଲି କେତୋଟି ଅଭୂଲା ମୁହୂର୍ତ୍ତମାନ.ଥିଲା ପ୍ରେମର ସ୍ୱାକ୍ଷର ମାନ ।ଚା,ପୁଚୁକା,ଲସି ଦୋକାନ ଠୁ ଆରମ୍ଭ କରି କଲେଜ୍ କ୍ୟାମ୍ପସ୍ ଯାଏଁ ।
ପାର୍କ ର ସେହି ବରଗଛ ମୂଳରେ ଯାଇଁ ବସିଲି ଯେଉଁଠି ସଂବିତ୍ ତାଙ୍କର ଆଉ ମୋ ନାଁ ଲେଖିଥିଲେ ।ଏବେ ସେ ନାଁ ଆଉ ନାହିଁ ।ବକ୍କଳ ଲିଭାଇ ଦେଲାଣି କେବେଠୁ ଆମ ଦୁଇଜଣଙ୍କର ନାଁ ।

ସଂଧ୍ୟା ହୋଇ ଆସୁଥିଲା ।ହଠାତ୍ ଦେଖିଲି ସଂବିତ୍ ଆସୁଛନ୍ତି ପାର୍କ ଭିତରକୁ ।ତା ହେଲେ ସେ କଣ ମୋତେ ଦେଖି ନେଇଛନ୍ତି??ମୋ ପାଖକୁ ଆସୁଛନ୍ତି??ଏତକ ଭାବୁ ଭାବୁ ଗୋଟେ ଝିଅଟେ ଗଛମୂଳରୁ ଦୌଡି ଯାଇ ତାଙ୍କୁ କୁଣ୍ଢେଇ ପକେଇଲା ।ମୋତେ ପୁଣି ଗୋଟେ ଶକ୍ତ ଧକ୍କା ଲାଗିଲା ।ତଥାପି ନିଜକୁ ସମ୍ଭାଳି ନେଲି ।

ଏବେ ଫେରିବାର ବେଳ ।ମୁଣ୍ଡ ଓଜନିଆ ଲାଗୁଥିଲା ଯେମିତି ।ଆଗକୁ ବଢିଲି ଘର ମୁହାଁ ହୋଇ ।ପଛରୁ ହଠାତ୍ ଡାକ ଶୁଭିଲା…ଦିଦି…ଆରେ ରହ ଟିକେ …ମୁଁ ପଛକୁ ଫେରି ଚାହିଁଲି ଏ କଣ??ସଂବିତ୍ ଙ୍କ କୋଳରୁ ହାତ ଛଡେଇ ମିଲି ମୋ ଆଡକୁ ଦୌଡି ଦୌଡି ଆସୁଥିଲା ।ମୋତେ କୁଣ୍ଢେଇ ପକେଇ କହିଲା ମୁଁ ତାଙ୍କ ସହ ଆସିଥିଲି ପାର୍କ କୁ…।ତା ମୁହଁରେ ଗୋଟେଖୁସିର ଝଲକ ଥିଲା ।

ମିଲିକୁ ଦେଖିଦେଲା ପରେ ମୋ ଆଖିରୁ ବରଫ ଖଣ୍ଡ ଯେମିତି ଚଡ ଚଡ ହୋଇ ଫାଟିଗଲା ।ଲୁହ ସବୁ ବୋହି ଆସିଲେ..ଗାଲ ଦେଇତଳକୁ .ଆହୁରି ତଳକୁ ।ଭାବୁଥିଲି ବାଘ ମୁହଁରୁ କେମିତି ମୁକୁଳେଇବି ଭଉଣୀକୁ !ମିଲି ଅସହାୟ ହୋଇ ବାର ବାର୍ ପଚାରୁଥିଲା ଦିଦି କଣ ହେଇଛି ତୋର.କହନା ଦିଦି..ପ୍ଲିଜ୍…

LEAVE A REPLY

Please enter your comment!
Please enter your name here