ବେଡ୍ ସିଟ୍ ର ଟିକେ ଫାଙ୍କ ଭିତରୁ ମୁଁ ଦେଖେ ତାଙ୍କୁ ସବୁଦିନ ସକାଳୁ ସକାଳୁ, ଯେତେବେଳେ ସେ ବାଥରୁମ୍ ରୁ ଧଳା ଟରକିସ୍ ଘୋଡେଇ ହୋଇ ବାହାରନ୍ତି ଗାଧୋଇ ସାରି ।ମୁଣ୍ଡ ଓଦା ସର ସର ।ସେମିତି ସେ ସିଧା ଚାଲି ଯାଆନ୍ତି ବାଲକୋନିକୁ ।ସେଇଠି ସେ ସେମିତି ଠିଆ ହେବେ ପନ୍ଦର ମିନିଟ୍ ପୋଛା ପୋଛି ନ ହୋଇ ।ତାଙ୍କ ଓଦା ବାଳରୁ ଥୋପା ଥୋପା ହୋଇ ଖସେ ପାଣି ବୁନ୍ଦା ତାଙ୍କ ପିଠି ଉପରେ ଆଉ ଗଡିଯାଏ ଧୀରେ ଧୀରେ ତଳକୁ ।

ତାଙ୍କ ଖୋଲା ପିଠିରେ ଯେତେବେଳେ ପାଣି ବୁନ୍ଦା ଖସେ ଓଦା ପିଠିରୁ, ଠିକ୍ ସେତିକି ବେଳେ ହିଁ ମୋ ମନ ଭିତରୁ ଖସେ ଠୋପା ଠୋପା କବିତା ବୁନ୍ଦା ସବୁ ।ସେତିକି ଦେଖିବାକୁ ହିଁ ମୁଁ ବେଡସିଟ୍ ଭିତରୁ ଜୁଳୁ ଜୁଳୁ ହୋଇ ଅନେଇ ଥାଏ ଅନେକ ଅପେକ୍ଷା କରି ମଧ୍ୟ ।ସେହି ସମୟରେ ମୋ ମନ ଘରେ କବିତାର ଚହଲ ହୁଏ ।ଭାବନା କଡ ଲେଉଟାଏ ।ଶବ୍ଦ ସବୁ ତରଙ୍ଗାୟିତ ହୁଅନ୍ତି ।ମୋ କବିତାର ଖିଅ ମୁଁ ପାଇଯାଏ ।ବାସ୍…ଖିଅଟେ ମିଳିଗଲେ ହିଁ ଯଥେଷ୍ଟ କବିତା ଟେ ଲେଖିବାକୁ ।ସାଧାରଣତଃ ଭାବରେ ମୁଁ ପ୍ରେମ କବିତା ଲେଖିବାକୁ ଭଲ ପାଏ ।କାରଣ ମୋତେ ଲାଗେ ଦୁନିଆରେ ପ୍ରେମ ଟା ହିଁ କେବଳ ସବୁଜ ରଙ୍ଗ ।ଆଉ ସବୁ ଫିକା ଫିକା…ଅଲଣିଆ…ଅଲଣିଆ ।

ବାଲକୋନିରୁ ଫେରି ପୋଛି ପାଛି ହୋଇ ବସିଯିବେ ସେଇ ନିର୍ଦ୍ଧିଷ୍ଟ ଚେୟାର ଉପରେ ସେ ।ଡାଏରୀ ଖୋଲି ପାଞ୍ଚ ମିନିଟ୍ କଣ ଲେଖିବେ ।ତା ପରେ ଗୋଟେ ଗ୍ଲାସ୍ ପାଣି ଢାଳିବେ ପିଇବାକୁ ଆଉ ଅଧ ଗ୍ଲାସେ ପାଣି ପିଇ ରଖିଦେବେ ଆଉ ଅଧକ ଟେବୁଲ୍ ଉପରେ ।ତା ପରେ ନିଜ ପୋଷାକ ପିନ୍ଧି ବାହାରି ଯିବେ ରୁମ୍ ରୁ …ସେ ଗଲା ମାନେ ମୁଁ ଚଟ୍ କରି ଉଠି ପଡେ ଆଉ ସେ ଛାଡି ଯାଇଥିବା ଅଧଗ୍ଲାସ୍ ପାଣିତକ ମୁଁ ଗର୍ଭସ୍ଥ କରିନିଏ ।ଆଃ…ଭାରି ଶାନ୍ତି ଲାଗେ ।ଜଣା ନାହିଁ କଣ ଥାଏ ସେଥିରେ ହେଲେ ମୋତେ ତୃପ୍ତି ମିଳି ଯାଏ ।ତା ପରେ ମୁଁ ମୋ ନିତ୍ୟକର୍ମ ରେ ବାହାରି ଯାଏ ।ଦୀର୍ଘ ଛଅ ମାସ ରେ ପ୍ରତିଟି ସକାଳର ଘଟଣା ଏହା ହିଁ ଚାଲିଛି…..

ଏ ଇଣ୍ଟର ନେଟ୍ ଯୁଗରେ କିଏ ବା ପ୍ରେମ ବିବାହ କରିବାକୁ ନ ଚାହେଁ ??ମୋର ବି ଇଛା ଥିଲା ପ୍ରେମ କରି ବିବାହ କରିବି ।ବିବାହ ଆଗରୁ ପ୍ରେମିକ ସହ ସିନେମା ଦେଖିବା,ରାସ୍ତା କଡରେ ଗୁପଚୁପ୍ ଖାଇବା,ଡହ ଡହ ଖରାରେ ବରଗଛ ମୂଳେ ବସିବା,ବର୍ଷା ରେ ଗୋଟେ ଛତା ତଳେ ଅଧା ଅଧା ଭିଜିବା,କଥା କଥାରେ ଲାଜେଇବା ପୁଣି ଜୋର ଜବରଦସ୍ତ ଲୋକଗହଳିରେ ବି ପ୍ରେମିକ କୁ କିସ୍ ଟେ କରିବାର ସ୍ୱପ୍ନ ମୁଁ ବି ଦେଖି ଆସୁଥିଲି ।ହେଲେ ଏ ସବୁ ଆଉ କେଉଁଠୁ ହୋଇ ପାରିଲା??ଗୁଲୁଗୁଲିଆ ନୀରିହ ପ୍ରେମଟେ ଖୋଜୁ ଖୋଜୁ ଟିକେ ଡେରି ହୋଇଗଲା । ସେତେବେଳକୁ ସୁବାସ ଅଙ୍କଲ୍ ଆସି ଆମ ଡ୍ରଇଂ ରୁମ୍ ରେ ବସି ସାରିଥିଲେ ତାଙ୍କ ଏକ ମାତ୍ର ପୁଅର ବିବାହ ପ୍ରସ୍ତାବ ମୋଲାଗି ଆଣି ।

” ସୌଭାଗ୍ୟ”ଭଳି ପୁଅକୁ ଜ୍ୱାଇଁ କରିବାକୁ କେଉଁ ମା’ ବି ନ ଚାହିଁବ??ଭଲ ଚାକିରି,ଭଲ ଘର,ଗୋଟିଏ ପୁଅ,ଧନୀ ଲୋକ,ଆଉ ସବୁଠୁ ବଡ କଥା ହେଲା ସେ ଦେଖିବାକୁ ଖୁବ୍ ସୁନ୍ଦର ।ମୋ ଭଳି ଶ୍ୟାମଳି ଝିଅକୁ ଯୋଗ୍ୟ ଗୋରା ପୁଅ ଟା ମିଳିବା ଭାଗ୍ୟର କଥା ଭାବି ବୋଉ ଆଖି ଠାରି ବାବାଙ୍କୁ କହିଲା ତୁରନ୍ତ” ହଁ” ମାରି ଦେବାକୁ ।ବାବା ମୋ ଅନୁମତି ନ ନେଇ କିଛି କହିବାକୁଚାହୁଁ ନ ଥିଲେ ମାତ୍ର ବୋଉ ସାମ୍ନାକୁ ବାହାରି ଆସି କଥା ଦେଇଦେଲା ଯେ ,ହଁ ସେଇଠି ହିଁ ବାହାଘର ହେବ ।

ଏତେ କଥା ସବୁ ମୁଁ ଶୁଣିଲା ବେଳକୁ ନେଡିଗୁଡ କହୁଣୀକୁ ବହି ସାରିଥିଲା ।ଅଙ୍କଲ୍ ବାର ତାରିଖ ଠିକ୍ କରି ଫେରି ଯାଇଥିଲେ ।ଆଉ ମୋ ପ୍ରେମ ହାତରୁ ଗଡି ଯାଇ କହୁଣୀ ପାଖରେ ଥାଇ ମୋତେ ଖତେଇ ହେଉଥିଲା….

ଅଙ୍କଲ୍ ଙ୍କର ଗୋଟିଏ ହାର୍ଟ ଷ୍ଟ୍ରୋକ୍ ହୋଇ ଯାଇଥିଲା ବୋଲି ତାଙ୍କ ଘରେ ବି ବିନା ପ୍ରତିବାଦରେ ଶୀଘ୍ର ବାହାଘର କରିବାକୁ ରାଜି ହୋଇ ଯାଇଥିଲେ ।ମୋ ଭଳି, “ସୌଭାଗ୍ୟ”ଙ୍କୁ ବି ତାଙ୍କ ମତାମତ ପଚରା ଯାଇ ନ ଥିଲା ।ମୋର ଆଉ ସୌଭାଗ୍ୟ ଙ୍କର ବିନା ମତାମତରେ ଆମ ଦୁହିଁଙ୍କର ବାହାଘର ହୋଇଗଲା ଅଚାନକ…ଆକାଶରୁ ବଜ୍ରପାତ ହେଲା ଭଳି ।ଆଉ ତାର ଫଳାଫଳ ଆମର ମଧୁ ରାତ୍ରୀ ରେ ମୁଁ ଖଟରେ ଆଉ ସେ ସୋଫାରେ ଶୋଇଥିଲେ ଗୋଟିଏ ନୀରିହ ଠେକୁଆ ଛୁଆ ଭଳି ।ମୁଁ ବି ଖୁବ୍ ଆରାମ୍ ରେ ଶୋଇଥିଲି ସେଦିନ ବେଧଡକ ନିଦରେ ।ଏତେ କମ୍ ଦିନ ଭିତରେ ଏତେ ଟେନସନ୍ ରେ ମୁଁ ବି ଖୁବ୍ ଥକି ଯାଇଥିଲି ।

ସକାଳୁ ସକାଳୁ ଦୂର ସଂପର୍କିୟ ନଣଦ ଜଣଙ୍କ ମୋତେ କହୁଣୀ ମାରି ମୁରୁକି ହସି ପଚାରିଲେ …କଣ ରାତିରେ ସବୁ ଠିକ୍ ଠାକ୍ ହେଲା ତ??ନିଦ ହେଲା କି ନାହିଁ ଭାଉଜ??ମୁହଁ ରେ ଦୁଷ୍ଟାମୀର ହସ ।ମୁଁ ବି ବଡ ହାଇ ଟେ ମାରି କହିଲି ..ଉଫ୍,ଭାରି ଶାନ୍ତିରେ ଶୋଇଛି ଅନେକ ଦିନ ପରେ ।ଭାରି ଭଲ ଲାଗିଲା ।ସକାଳୁ ପୁରା ହାଲକା ଲାଗୁଛି ।

ମୋ କଥା ଶୁଣି ନଣନ୍ଦ ମୋତେ ବଲବଲ କରି ଅନେଇଲେ ଆଉ ହୋ ହୋ ହୋଇ ହସି ଉଠିଲେ ….ଶାଶୁ ଓଠ ଚାପି ଚାପି ହସୁଥିଲେ ।ଆମ ବାହାଘରକୁ ନେଇ ଆମେ ଦୁହେଁ ଏତେ ସିରିୟସ୍ ନ ଥିଲୁ ।ହାଲକା ଫୁଲକା ଭାବରେ ଦୁଇ ବନ୍ଧୁ ଭଳି ଆମେ ସହଜରେ ଚଳି ଯାଉଥିଲୁ ।।କାରଣ ମୁଁ ଜାଣିଥିଲି ସ୍ୱାମୀ ସ୍ତ୍ରୀ ର ସଂପର୍କଟେ ପାଇଁ ଆମ ଦୁଇ ଜଣଙ୍କୁ ଟିକେ ସମୟ ଲାଗିବ ।କାରଣ ଉଭୟେ ଉଚ୍ଚ ଶିକ୍ଷିତ ଆଉ ସ୍ୱାଧୀନ ଚିନ୍ତାଧାରା ର ଥିଲୁ ।ସଂପର୍କ ନାଁ ରେ ଜୋର୍ ଜବରଦସ୍ତ ନିଜର ଅଧିକାର ସାବ୍ୟସ୍ତ କରିବା ଦୁହିଁଙ୍କୁ ପସନ୍ଦ ନ ଥଲା ।

ଏହା ଭିତରେ “ସୌଭାଗ୍ୟ”ସୋଫା ଛାଡି ଖଟରେ ଆରାମ୍ ରେ ଶୋଇ ପାରୁ ଥିଲେ ଆଉ ମୁଁ ବି ଆରାମ୍ ରେ ଶୋଇ ପାରୁଥିଲି ।ହେଲେ ସକାଳର ତାଙ୍କର ଭିଜା ଭିଜା ଦେହ ଆଉ ଭିଜା ଚୁଟିରୁ ଖସୁଥିବା ପାଣି ମୋତେ ଖୁବ୍ ଆକର୍ଷିତ କରୁଥିଲା ।ସେତିକି ଦେଖିବାକୁ ମୁଁ ଡେରି ରେ ଉଠେ ସେ ଗଲା ପରେ ….

ଏମିତି ଛଅ ମାସ କଟିଗଲା ପରେ ଦିନେ ମୋ ପିରିୟଡ୍ ହେବା ସମୟରେ ଶାଶୁ ଆସି ମୁହଁ ଶୁଖାଇ କହିଲେ ,”ଆରେ ମା..ଆଜିକାଲି ପିଲମାନେ ଡେରି ରେ ବାପା ମା ହେବାକୁ ଚାହୁଁଛନ୍ତି ।ହେଲେ ଆମ ପାଖରେ ସମୟ ଭାରି ମୂଲ୍ୟବାନ ।ତୁ ତ ଜାଣୁ ତୋ ଶଶୁରଙ୍କର ଗୋଟିଏ ହାର୍ଟ ଷ୍ଟ୍ରୋକ୍ ହୋଇ ସାରିଛି ।କେତେବେଳେ କେଉଁକଥା ।ସେ ନାତି କି ନାତୁଣି ଦେଖିବାକୁ ଚାହୁଁଛନ୍ତି ।ଆଶା କରେ ତୁ ମୋ କଥା ବୁଝି ପାରୁଥିବୁ ।ସୌଭାଗ୍ୟ କୁ ବି ଟିକେ ବୁଝେଇ ଦେବୁ ।ତୁମେ ମାନେ ଆମ କଥା ବୁଝିପାରିବ ଏଭଳି ଏକ ଆଶା ରଖୁ ଆମେ
ଦୁହେଁ “।ଏତକ କହି ସେ ଚାଲିଗଲେ ।ମୋ ମୁଣ୍ଡରେ ଚଡକ ପଡିଗଲା ।-ସୌଭାଗ୍ୟ ,ଗୋଟେ ପିଲା କରିବା ।ମୁଁ ଶାଶୁଙ୍କ କଥା ଭାବି ଭାବି ଏ କଥାକହିଲି ସୌଭାଗ୍ୟ ଙ୍କୁ ।- ହ୍ୱାଟ୍??ଆର୍ ୟୁ ମ୍ୟାଡ୍??ସୌଭାଗ୍ୟ ଆଶ୍ଚର୍ଯ୍ୟ ହୋଇ କହିଲେ ।-ମୋର ନୁହେଁ,ତୁମ ବାପା ମା ଙ୍କୁ ଦରକାର ।ମା’ଆଜି ଆସି କହୁଥିଲେ ମନ ଦୁଃଖ କରି ।

ସୌଭାଗ୍ୟ କିଛି କହିବେ ବୋଲି ଭାବୁଥିଲେ ।ମୁଁ ପଚାରିଲି….-କୁହ ,ସୌଭାଗ୍ୟ କଣ ହୋଇଛି ।ଏବେ ତ ଆମେ ପରସ୍ପରଙ୍କୁ ଭଲ ଭାବରେ ବୁଝିଗଲେଣି ।ହଁ,ଏହା ସତ ଯେତୁମେ ଖୁବ୍ ଚୁପ୍ ଚାପ୍ ପ୍ରକୃତିର ।ମୋର ଯତ୍ନ ନ ନେଲେ ବି ଅବହେଳା କରିନ କି ମୋତେ ଅସମ୍ମାନ ବି କରିନ ।ତେବେ ଆମ ଭିତରେ କଣ କିଛି ସଂପର୍କ ହେଇ ପାରିବନି ??-ନା …ଦୃଢ କଣ୍ଠରେ କହିଲେ ସୌଭାଗ୍ୟ।-ତେବେ କାହିଁକି??

-ମୁଁ ଆଉ କାହାକୁ ପ୍ରେମ କରେ ।ଭୂଲି ପାରୁନି ତାକୁ ।ବାପାଙ୍କର ଅସୁସ୍ଥତା ଦେଖି ମୁଁ ବାଧ୍ୟ ହେଲି ବାହା ହେବାକୁ ।ମୋତେ କ୍ଷମା କରିଦିଅ ।ପ୍ଲିଜ୍ ।ସୌଭାଗ୍ୟଙ୍କ କଣ୍ଠରେ ଧୀରେ ଧୀରେ କରୁଣତା ଥିଲା ।ଆଖିରେ ଅପରାଧୀ ର ଭାବ ।ନଜର ବି ତଳକୁ ଥିଲା ।ମୋର ଆଉ କଣ କହିବାର ଥିଲା??ଇଟସ୍ ଓକେ କହି ବାଥରୁମ୍ କୁ ଚାଲିଗଲି ।

ହେଲେ ମୁଁ ବେଳେ ବେଳେ ଭାବେ ତାଙ୍କ ପ୍ରେମିକା କେତେ ସୁନ୍ଦର ହୋଇ ନ ଥିବ??ଯଦି ସେ ନିଜେ ଏତେ ସୁନ୍ଦର ….ଭାରି ଇଛା ହୁଏ ତାଙ୍କ ପ୍ରେମିକା କୁ ଥରେ ଦେଖିବାକୁ ।ହେଲେ ମୁହଁରେ କହି ପାରେନି କିଛି ।ତାଙ୍କ ପାଖରେ ମୋ ଅସ୍ତିତ୍ୱ କଣ ଏ କଥା ବି ମୁ କେବେ ଭାବେନି ।କିନ୍ତୁ ବେଳେ ବେଳେ ତାଙ୍କ ଲୋମଶ ଛାତି ଉପରେ ମୁଣ୍ଡ ଗୁଞି ଶୋଇ ଯିବାକୁ ଇଛା ହୁଏ ଭାରି ମୋର ।

ଆଜି “ସୌଭାଗ୍ୟ” ଙ୍କର ଜନ୍ମ ଦିନ ।ତାଙ୍କୁ କଣ ଭଲ ଲାଗେ ଜାଣେନା ମୁଁ ।ସେ ଏତେ ଚୁପ୍ ଚାପ୍ ଯେ ତାଙ୍କ ବିଷୟରେ ଜାଣିବା ଭାରି ମୁସ୍କିଲ୍ ।ସେ କତେବେଳୁ ଚାଲିଗଲେଣି ଅଫିସ୍ ।
ମୋତେ ଆଜି କାହିଁକି ନିଜକୁ ସଜାଇବାକୁ ଭାରି ଇଛା ହେଲା ।ନିଜକୁ ହାଲକା ସଜାଇବାର ପ୍ରୟାସ କରକରୁ ସୌଭାଗ୍ୟ ଙ୍କର ଫୋନ୍ ଆସିଲା ।-ଶୁଣ,ତୁମେ ଟିକେ କଳିଙ୍ଗ ରେଷ୍ଟୁରେଣ୍ଟ ପାଖକୁ ଆସି ପାରିବ କି ??ଆସିଲେ ସବୁ ଜାଣିବ ।ଇଟସ୍ ଅରଜେଣ୍ଟ ।ପ୍ଲିଜ୍….-ହଁ,ଯେ …ହେଲେ ମୋତେ ଟିକେ ଟାଇମ୍ ଲାଗିବ ।ମୁଁ କହିଲି ।

-ନାଁ…ତୁମେ ଯେମିତି ଅଛ ସେମିତି ଆସ ।ଗାଡି ପଠାଉଛି ।ଡେରି କରନି ।ଅରଜେଣ୍ଟ ଭାବି ଆସ ।-ମୁଁ ବି ଅଫିସ୍ ରୁ ବାହାରୁଛି ।ଦେଖା ହେବ ରେଷ୍ଟୁରେଣ୍ଟ ରେ ।ସୌଭାଗ୍ୟ ଏତିକି କହି ଫୋନ୍ କାଟିଦେଲେ ।

ଅଚାନକ କାହିଁକି ଡାକୁଛନ୍ତି??ମୋ ଭିତରେ ଅନେକ ସନ୍ଦେହ ।ତଥାପି ଯିବାକୁ ହେବ ।ଯେମିତି ଥିଲି ସେମିତି ସିଫନ୍ ଶାଢୀଟେ ପିନ୍ଧି ବାହାରିଲି ।ଶାଶୁଙ୍କୁ କହି ବାହାରକୁ ଆସଲା ବେଳକୁ ଶାଶୁ କହିଲେ,ମନେ ଅଛିନା??ଆଜି ସୌଭାଗ୍ୟର ଜନ୍ମଦିନ ।ଆସିଲା ବେଳକୁ ଗିଫ୍ଟ ନେଇ ଆସିବୁ ।ହଁ, ସେଣ୍ଟ ଆଣିବାକୁ ଭୂଲିବୁନି ।ସେଣ୍ଟ ପ୍ରତି ତାର ଦୁର୍ବଳତା ଅନେକ ।ବାଟରେ ଗାଡି ଅଟକାଇ ତାଙ୍କ ଲାଗି ଗୋଟେ ମେରୁନ୍ କଲର ର ବ୍ଲେଜର କିଣିଲି ଆଉ କିଛି ସେଣ୍ଟ ବୋତଲ କିଣି ମୋ ଭ୍ୟାନିଟିରେ ପୁରେଇଲି ଘରେ ପେକିଂ କରିବି ବୋଲି ।କାରଣ ଟାଇମ୍ କମ୍..।

ଜଲଦି ଜଲଦି ରେଷ୍ଟୁରେଣ୍ଟ ରେ ପଶୁଛି ହଠାତ୍ ବାଡେଇ ହୋଇଗଲା ସୁନ୍ଦରୀ ମହିଳାଟେ ସହ ।ଏମିତି ଛାନିଆ ହେଲେ ମୋର କିଛି ନା କିଛି ଭୂଲ୍ ହୁଏ ।ମହିଳାଙ୍କ ସହ ଧକ୍କାରେ ମୋ ଭ୍ୟାନିଟି ତଳେ ପଡିଗଲା ଆଉ ମହିଳଙ୍କ ହାତରୁ ଗୋଟେ ପକେଟ୍ ବି ।ଇସ୍…ସେ ପକେଟ୍ ରେ ଗୋଟେ କେକ୍ ଥିଲା …ନଷ୍ଟ ହୋଇ ଯାଇଥିଲା ଆଉ ମୋ ଭ୍ୟାନିଟି ଭିତରୁ ଦୁଇଟି ସେଣ୍ଟ କାଚ ବୋତଲ୍ ବି ଭାଙ୍ଗି ଯାଇଥିଲା ।ମହିଳା ଜଣଙ୍କ ଗର୍ଜି ଉଠିଲେ…ଆପଣଙ୍କୁ ଦେଖା ଯାଉନି??ସବୁ ନଷ୍ଟ ହୋଇଗଲା??ୟୁ ଇଡିଅଟ୍…

ମୁଁ ବୁଝେଇବାକୁ ଚାହୁଁଥିଲି ହେଲେ ସେ ବୁଝୁ ନ ଥିଲେ ।ଆଣ୍ଠେଇ ପଡି କେକ୍ ଟିକୁ ଦେଖୁଥିଲେ ।ମୋତେ ଭାରି ଅପରାଧୀ ଲାଗିଲା ।ମୁଁ ବି ଭୂଲ୍ ମାଗି ଆଣ୍ଠେଇ ପଡି ତାଙ୍କ କେକ୍ ଟିକୁ ଉଠେଇବାକୁ ଚେଷ୍ଟା କଲି ହେଲେ ସେ ଏତେ ରାଗି ଯାଇଥିଲେ ଯେ …ୟୁ ବାଷ୍ଟାର୍ଡ କହି ମୋ ଉପରେ ହାତ ଉଠେଇବାକୁ ଚେଷ୍ଟା କରନ୍ତେ କୁଆଡେ ଥିଲେ କେଜାଣେ ସୌଭାଗ୍ୟ ଦୌଡି ଆସି ତାଙ୍କ ହାତ ଧରି ଛିଞ୍ଚାଡି ଦେଲେ ।

ଝିଅଟି ସୌଭାଗ୍ୟ ଙ୍କ ମୁହଁ କୁ ବଲବଲ କରି ଚାହିଁ ଥିଲା ।ମୋତେ ଭାରି ଖରାପ ଲାଗୁଥିଲା ଆଉ କାନ୍ଦ ବି ।ସୌଭାଗ୍ୟ ରାଗରେ ପାଚି ଲାଲ୍ ହୋଇ ଯାଇଥିଲେ ।ଫଁ ଫଁ ହୋଇ ଝିଅଟିକୁ କହିଲେ ,ତୁମେ ଛଅମାସ ତଳେ ଯେମିତି ରାଗି ଆଉ ଜିଦଖୋର୍ ଥିଲ ଏବେ ବି ସେମିତି ଅଛ “ଡୋନା”।ନିଜର ଇମୋସନ୍ ଖାଲି ବୁଝ,ଆଉ କାହାରି ନୁହେଁ ।ଚାକିରି କରିବ ବୋଲି ମୋତେ ଛାଡି ଦୁବେଇ ଚାଲିଗଲ ।ମୋ ବାହାଘର ବେଳେ ତୁମକୁ ଜଣେଇଲି ହେଲେ ତୁମେ ନୀରବ ରହିବାରୁ ମୁଁ ବାପାଙ୍କ କଥାକୁ ସମ୍ମାନ ଦେଇ ଅନ୍ୟ ଜାଗାରେ ବାହା ହେଲି ।ଆଉ ବାହାଘରର ଆଠ ଦିନ ପରେ ଅଚାନକ ଫୋନ କରି ଆଇ ଲଭ୍ ୟୁ କହିଲ??ମୋତେ କଣ ଭାବିଲ “ଡୋନା”??ଗୋଟେ କାଠ କଣ୍ଢେଇ??ତୁମ ଇସାରାରେ ନାଚିବି??ଭାବୁଥିଲି ତୁମେ ବଦଳି ଯାଇଥିବ ।ଖୁସି ବି ଥିଲି ତୁମେ ଆସିବ ବୋଲି ।ହେଲେ ଏଠି ଦେଖୁଛି ତୁମର କିଛି ବି ପରିବର୍ତ୍ତନ ନାହିଁ ??

ମୋ ଜନ୍ମ ଦିନରେ ତୁମ କେକ୍ ଠାରୁ କୌଣସି ନାରୀର ସମ୍ମାନ ମୋତେ ଅଧିକ ମୂଲ୍ୟବାନ ଲାଗେ “ଡୋନା” ।କେବେ ଆଉ ବୁଝିବ???ଯାହାକୁ ତୁମେ ମାରିବାକୁ ବାହାରିଥିଲ ସେ କିଏ ଜାଣ??ସେ ମୋ ୱାଇଫ୍ ।ତାକୁ ମୁଁ ହିଁ ଏଠିକୁ ଡାକିଥିଲି ତୁମ ସହ ଇଣ୍ଟ୍ରୋଡ୍ୟୁସ୍ କରିବାକୁ କାରଣ ସେ ତୁମକୁ ସହଜ ଭାବରେ ଗ୍ରହଣ କରେ ।ହେଲେ ତୁମେ???”ଡୋନା”ସୌଭାଗ୍ୟଙ୍କର ହାତ ଧରି ବାର ବାର୍ ସରି କହୁଥିଲା …ଆଇ ଲଭ୍ ୟୁ ବି କହୁଥିଲା ।

ସେମାନଙ୍କ କଥା ଶୁଣି ସେଠି ମୁଁ ରହିବା ଠିକ୍ ମନେ କଲିନି ।ଏକ ରକମ ଝଡ ବେଗରେ ବାହାରି ଆସିଲି ଗାଡି ପାଖକୁ । ମୋ ଆଖିରେ ଲୁହ ।ଡ୍ରାଇଭର୍ କୁ କହିଲି …ଘରକୁ ଚାଲ ।ରୁମାଲ୍ ରେ ଆଖି ପୋଛି ଅନାଇଲା ବେଳକୁ ଡ୍ରାଇଭର୍ ଜାଗାରେ ସୌଭାଗ୍ୟ ବସିଛନ୍ତି ।ରାତିରେ ତାଙ୍କର ଜନ୍ମଦିନ ପାର୍ଟି ରେ ସବୁ ଖୁସିଥିଲେ ହେଲେ ମୋ ଆଖିରେ ବାର ବାର ଲୁହ ଆସିଯାଉଥିଲା??କଣ ଡୋନା କୁ ଇର୍ଷା କରି ନା ନିଜ ଅସହାୟତାକୁ ନେଇ??ବୁଝି ପାରୁ ନ ଥିଲି ।

ମୁଣ୍ଡ ବିନ୍ଧୁଛି କହି ଆଗରୁ ଆସି ଶୋଇଗଲି ଲାଇଟ୍ ଅଫ୍ କରି ବେଡସିଟ୍ ଘୋଡେଇ ହୋଇ ।ବେଡସିଟ୍ ତଳେ ତକିଆ ସାରା ମୋ ଲୁହ ଗଡୁଥିଲା ।ହଠାତ୍ ଲାଇଟ୍ ସୁଇଚ୍ ଅନ୍ ହୋଇଗଲା ।ଜାଣିଲି ସୌଭାଗ୍ୟ ଆସିଲେ ବୋଧେ ।ନିଜର ଦୁଃଖ ଦେଖାଇବାକୁ ଚାହୁଁ ନ ଥିଲି ।ବରଫ ଖଣ୍ଡ ପରି ଶୋଇବାର ଅଭିନୟ କଲି ।ସେ ବାଥରୁମ୍ ଗଲେ ।ଗାଧୋଇ ଧଳା ଟରକିସ୍ ପିନ୍ଧି ବାହାରି ଆସିଲେ ।ତାଙ୍କୁ ଦେଖି ମୁଁ ମୁହଁ ଘୋଡେଇ ଶୋଇଲି ସେ ନ ଜାଣିବା ପରି ।ସେ ମୋ ପର୍ସ ରୁ ବାକିଥିବା ସେଣ୍ଟ ବୋତଲ କୁ ନିଜ ଦେହରେ ସ୍ପ୍ରେ କଲେ ।ଆଉ ଖଟ ଉପରେ ସବୁଦିନ ପରି ଶୋଇ ପଡିଲେ ।

ଭାବୁଥିଲି ଲାଇଟ୍ ଅନ୍ ଅଛି ମାନେ ଡାଏରୀ ଲେଖା ହେବ ବୋଧେ । କିନ୍ତୁ ସେ ଗଳା ଖୁଁ ଖୁଁ କରି କହିଲେ…ମୁଁ ଜାଣିଛି ତୁମେ ମୋଟେ ଶୋଇନ ।ବେଡସିଟ୍ ଭିତରେ ଲୁହ ଝରାଉଥିବ ।ହେଲେ ଶୁଣ,ଡୋନାକୁ ମୁଁ ଭଲ ପାଇଥିଲି ହେଲେ ପଇସାର ମୋହ ତାକୁ ମୋ ଠୁ ଦୂରେଇ ଦେଲା ।ଜବ୍ କରିବାକୁ ଦୁବେଇ ପଳେଇଗଲା ଆଉ ମୋ ବାହାଘର ଜାଣି ମଧ୍ୟ ଚୁପ୍ ରହିଲା ।କାରଣଟା ସ୍ପଷ୍ଟ ଥିଲା ଯେ ମୋ ଠାରୁ ତା ଜବ୍ ତା ଲାଗି ଅଧିକ ଜରୁରୀ ଥିଲା ।ବାହାଘର ପରେ ବି ମୁଁ ତାକୁ ଭୂଲି ନଥିଲି ହେଲେ ଯେଉଁଦିନ ସେ ମୋତେ କହିଲା ଯେ… ତୁମେ ତୁମ ସ୍ତ୍ରୀ କୁ ଡିଭୋର୍ସ ଦେଇ ଦିଅ ,ଏବେ ମୁଁ ରାଜି ତୁମକୁ ବାହା ହେବାକୁ କାରଣ ମୁଁ ମୋ ଜବ୍ ଇଣ୍ଡିଆକୁ ସିଫ୍ଟ କରିଦେଇଛି ,ସେହି ଦିନ ହିଁ ମୋର ଚେତା ପଶିଲା ।ୟା ଭିତରେ ତୁମ ଲାଗି ମୋ ଭିତରେ ଗୋଟେ ପ୍ରେମ ଅଙ୍କୁରିତ ହୋଇ ସାରିଥିଲା ।କିନ୍ତୁ ଡୋନା ଯେ ମୋତେ ଧୋକା ଦେଉଛି ବୋଲି ତୁମ ପ୍ରତି ମୋର ଭଲ ପାଇବା ବଢିଗଲା ତା ନୁହେଁ …ଏଇ ଛଅ ମାସ ଭିତରେ ମୁଁ ଦେଖିଛି ତୁମ ଭିତରର ସହନଶୀଳତା,ସହଜପଣିଆ,
ଗୋଟିଏ ସୁନ୍ଦର ବନ୍ଧୁ ଭାବରେ ମୋର ସବୁ କଥା ଗ୍ରହଣ କରିବା ।ଯାହା ମୁଁ ଡୋନା ପାଖରେ ଅଛି ବୋଲି ଏ ଯାଏଁ ଭାବି ଆସୁଥିଲି ।

ହଁ,ଆଜି ଡୋନା ମୋତେ ହୋଟେଲ୍ କୁ ଡାକିଥିଲା ଏକାନ୍ତରରେ ଜନ୍ମ ଦିନ ପାଳନ କରିବାକୁ ହେଲେ ମୁଁ ଚାହୁଁଥିଲି ତୁମେ ସେଠାକୁ ଆସ ।ଅତନ୍ତଃ ତାକୁ ମୁଁ ଦେଖାଇବାକୁ ଚାହୁଁ ଥିଲି ଯେ ମୋ ପସନ୍ଦ ଅପେକ୍ଷା ମୋ ବାପାଙ୍କର ପସନ୍ଦ କେତେ ଶ୍ରେଷ୍ଠ !ଆଉ ଆଜି ହିଁ ତା ସହ ସବୁ ବ୍ରେକ ଅପ୍ କରି ଦେଇ ଥାଆନ୍ତି । ହେଲେ ଘଟଣା କିଛି ଅଲଗା ହୋଇଗଲା ।ସତ କହୁଛି ,ମୋ ପ୍ରେମ ରେ କିଛି ଆବିଳତା ନ ଥିଲା ସେତେବେଳେ ବି ଆଉ ଆଜି ବି ନାହିଁ ।ଆଜି ମୁଁ ତୁମ ପ୍ରେମ ରେ ।ଏବେ ତୁମେ ମୋତେ ଚାହିଁଲେ ସ୍ୱିକାର କରି ପାର କିମ୍ବା ଦଣ୍ଡ ବି ଦେଇ ପାର ।ସୌଭାଗ୍ୟଙ୍କର ଏତିକି କଥା ଶୁଣିଲା ପରେ ମୋ ଭିତରର କୋହଟା ଯେମିତି ଫାଟି ପଡିଲା ।ମୁଁ ଜୋରରେ କାନ୍ଦିବା ଆରମ୍ଭ କରିସାରିଥିଲି ସେଇ ବେଡସିଟ୍ ଭିତରେ ହିଁ ।ମୋତେ ତାଙ୍କର ଓଦା ଓଦା ଝାଳ ବୁନ୍ଦା ଖାଲି ଦେଖା ଯାଉଥିଲା ଯାହା ।

କିଛି ସମୟ ପରେ ଅନୁଭବ କଲି ମୋ ଅଣ୍ଟା ଚାରିପାଖରେ ତାଙ୍କ ହାତର ସ୍ପର୍ଶ ।ମୁଁ ମୁକୁଳିବାକୁ ଚାହୁଁ ଥିଲି ହେଲେ ସେ ଗୋଟାପଣେ ଟେକିନେଲେ ତାଙ୍କ ଛାତି ଉପରକୁ ମୋତେ ।ଇସ୍…ସେଇ ଲୋମଶ ଛାତି…ଯେଉଁଠି ଗେଞି ହୋଇ ଶୋଇବାକୁ ଇଛା କରୁଥିଲି କେବେ ।ମୁଁ ଅଣନିଃଶ୍ୱାସୀ ହେଉଥିଲି ଆଉ ସେ ମୋତେ ବିବସ୍ତ୍ର କରୁଥିଲେ ।ମୁଁ ଲୁହରେ ଆଉ ଲାଜରେ କହିଲି…ଲାଇଟ୍ ତ ଅଫ୍ କର ଆଗ???ସେ ମୋ ଗାଲରେ ଓଠ ଘସୁ ଘସୁ କହିଲେ…ମୋତେ ଆଜି ତୁମକୁ ଦେଖିବାକୁ ଦିଅ । ,ଆଲୁଅ ରେ ଦେଖିବି ଆଜି ତୁମ ଆଖିରେ କେତେ ଲୁହ……।ତାଙ୍କ ନିଃଶ୍ୱାସ ପ୍ରଖର ହେଉଥିଲା ଆଉ ମୁଁ ଧୀରେ ଧୀରେ ନିଶାସକ୍ତ ହେଉ ଥିଲି …।ବାହାରେ ମୌସୁମିର ପ୍ରଥମ ବର୍ଷା ଉତ୍ପାତ କରୁଥିଲା ।

LEAVE A REPLY

Please enter your comment!
Please enter your name here