ତୁମ ଫୋନ୍ ରିଂ ହେଲା ।
ଗୋଟିଏ ଅଜଣା ଉଦବେଗରେ ଫୋନ୍ ଟିକୁ ଉଠାଇଲି ।
ଭାବିଲି ତୁମେ ହିଁ ମୋତେ ପ୍ରଥମେ “ସରି “କହିବ ସବୁଥର ପରି । ଆଉ ମୁଁ ଟିକେ ମୁହଁ ଫୁଲେଇବି ।
ହେଲେ ଫୋନ୍ ସେପଟରୁ ତୁମର ନୁହେଁ, ଅନ୍ୟ ଏକ ଅପରିଚିତ ସ୍ଵର ଭାସିଆସିଲା..
ଏଇ ଫୋନ୍ ଟା ଯାହାର ସେ ବ୍ୟକ୍ତିଙ୍କର ଏକ୍ସିଡେଣ୍ଟ ହୋଇଛି । ସ୍ପଟ୍ ଡେଥ୍ ।
ଏତିକିରେ ମୋ ହାତରୁ ଫୋନ୍ ଖସି ପଡି ଦୁଇଫାଳ ହୋଇଗଲା ।

ଏକ ଆତଙ୍କଗ୍ରସ୍ତ ଭୟାର୍ତ୍ତ ଶୀତଳତାରେ ମୁଁ ଧୀରେ ଧୀରେ ନିସ୍ତେଜ ହୋଇ ଯାଉଥିଲି। । ଶୁଣିଥିବା ତୀବ୍ରତା ଏତେ ଭୟଙ୍କର ଥିଲା ଯେ ମୋ ହୃତ୍ ପିଣ୍ଡ ଚାରିପଟେ ଗୋଟିଏ ବିରାଟ କୋଳାହଳ ସୃଷ୍ଟି କରୁଥିଲା । ଦେହ ଥରି ଉଠିଲା । ଖୁବ୍ କଷ୍ଟରେ ମୁଁ ଖଟଯାଏଁ ଆସିଲି ଆଉ ସିଧା ହୋଇ ଶୋଇ ପଡିଲି । ବନ୍ଦ ଆଖିର ଅନ୍ଧାର ଭିତରୁ ଛାତିତଳର ଧକ୍ ଧକ୍ ଆବାଜ ଶୁଣି ପାରୁଥିଲି । ହାଇ ସ୍ପିଡ୍ ରେ ଏସି ଆଉ ଫ୍ୟାନ୍ ଚାଲିଥିଲେ ବି ମୋ ଦେହରୁ ଗମ୍ ଗମ୍ ଝାଳ ବାହାରୁଥିଲା । ମୋ ପାଦତଳ ସ୍ପର୍ଶହୀନ ଜଣା ପଡିଲା । ଧୀରେ ଧୀରେ ସେ ସ୍ପର୍ଶହୀନତା ମୋ ଛାତି ଯାଏଁ ମାଡି ଆସୁଥିଲା ,ଆଉ ଠିକ୍ ଏତିକି ବେଳେ ଲାଗିଲା ମୋ ଛାତିକୁ କିଏ ହାତୁଡିରେ ଦୁଇ ପାହାର ପକେଇଲା। ଓଃ…ବୋଲି ଗୋଟେ ଅସ୍ପଷ୍ଟ ଚିତ୍କାର ମୋ ମୁହଁରୁ ବାହାରି ଆସିଲା ଓ ମୋ ଆଖିଦେଇ କିଛି ଗୋଟେ ବାହାରିଗଲା ଭଳି ଲାଗିଲା। ….

ତା ପରେ ସବୁ ଶୂନ୍ ଶାନ୍ ।

ହଠାତ ଏକ ବିଚିତ୍ର ଅନୁଭବରେ ମୁଁ ବିସ୍ମିତ ହେଲି । ମୋ ଦେହ ଏତେ ହାଲକା ଆଉ କ୍ଲେଶହୀନ କେମିତି? ବେଲୁନ୍ ପରି ମୁଁ ପବନରେ ଭାସି ଭାସି ଯାଇ ପହଞ୍ଚିଲିଣି ଛାତରେ ଓହଳି ଯାଇଥିବା ପଙ୍ଖା ପାଖରେ । ଉପରୁ ବେଶ ଦେଖି ହେଉଛି ତଳେ ଖଟ ଉପରେ ଆଖି ମୁଦି ଶୋଇଥିବା ମୋ ନିସ୍ତେଜ ଦେହକୁ । ତାହେଲେ ମୁଁ କଣ ମରିଯାଇଛି? ମୋ ମୃତ୍ୟୁ ମୋତେ ଯେତିକି ଦୁଃଖ ଦେଉ ନଥିଲା ସେତିକି ଆଶ୍ଚର୍ଯ୍ୟ ହେଉଥିଲି ମୁଁ। ଅଇନାରେ ମୋ ଚଳ ଚଞ୍ଚଳ ଦେହ ତ ଅନେକ ଥର ଦେଖିଛି । କିନ୍ତୁ ସେ ସବୁ ତ ମୋର ପ୍ରତିଫଳନ, ଛାଇ।
ହେଲେ ଆଜି ଦେହଠାରୁ ଅଲଗା ହୋଇ ନିଜ ଦେହକୁ ଦେଖିବାର ଅନୁଭବ ବେଶ ରୋମାଞ୍ଚକର ।

ମୁଁ ଦେଖୁଥିଲି ମୋର ପାଞ୍ଚଫୁଟ୍ ଚାରି ଇଞ୍ଚ୍ ର ଧୋବ ଫରଫର ଶରୀରଟା ଖୁବ୍ ସୁନ୍ଦର
ଦେଖା ଯାଉଥିଲା ।ମେଲା ମେଲା ପଦ୍ମ ପାଖୁଡା ପରି ଯୋଡାଏ ଆଖି…ତୀକ୍ଷଣ ନାକ,…କହରା ରଙ୍ଗର ସ୍ଟ୍ରେଟ୍ ହେୟାର୍…ଗୋଲାପ ପାଖୁଡା ପରି ଓଠ..ଚମ୍ପା କଢି ପରି ଆଙ୍ଗୁଳି..ଆଉ କଳା ରଙ୍ଗର ବଡି ଫିଟିଂ ଡ୍ରେସ୍ ।ପ୍ରଥମ ଥର ଲାଗି ନିଜକୁ ନିଜେ ପ୍ରଶଂସା କରୁଥିଲି ।ଏ ସବୁ ଶୃଙ୍ଗାର ତ ତୁମ ଲାଗି ଥିଲା “ଶଶାଙ୍କ” । ତୁମ ଫେରିବା ବାଟକୁ ଚାହିଁ ମୁଁ କାଲିଠୁଁ ନିଜକୁ ଏମିତି ସଜେଇ ବସିଥିଲି ।

ଫୋନଟିକୁ ମୁଁ କାଲିଠୁ ଅନେଇ ବସିଥିଲି ।ଭାବୁଥିଲି ଆମ ଭିତରେ ଏମିତି ଆଉ
କଣ ହୋଇଗଲା ଯେ ତୁମେ କାଲିଠୁ କୁଆଡେ ଯାଇଛ ଯେ ଯାଇଛ ..ସବୁ ଚୁପ୍ ଚାପ୍ । ତୁମ ଫୋନ ବି ନଟ୍ ରିଚେବଲ୍ କହୁଛି ।
ଏମିତି ଅନେକ ଝଗଡା ତ ଆମ ଭିତରେ ହୋଇଛି ହେଲେ ଦିନ ଝଗଡା ରାତିକୁ ଆଉ ନ ଥାଏ ।ତୁମ ଛାତିରେ ମଥା ରଖି ମୁଁ ଫୁଲଗଛ ଲଗାଇବାର ସ୍ୱପ୍ନ ଦେଖେ ଆଉ ତୁମେ ବହିଟେ ଧରି ତା ଭିତରେ ନିଜେ ନିଜକୁ ଖୋଜୁଥାଅ ।କେତେ ବର୍ଷ ,ମାସ ,ଦିନ,ଦଣ୍ଡ ତ କଟିଯାଇଛି ଏମିତି ।

ଆମେ ଦୁହେଁ ଦୁହିଁଙ୍କ ଲାଗି ବଞ୍ଚିଥିଲୁ ।ତୁମେ ତୁମ ଇଲାକାର ରାଜା ଆଉ ମୁଁ ମୋ ଇଲାକାର ରାଣୀ ।କେହି କାହା ବଳୟ ଭିତରେ ପଶିବାକୁ ଚେଷ୍ଟା କରୁନା ।ନା ତୁମେ କେବେ ମୋ ଭ୍ୟାନିଟି ଚେକ୍ କରିଛ ନା ମୁଁ ତୁମ ମୋବାଇଲ୍ ଆଉ ପର୍ସ ଚେକ୍ କରିଛି ! ନା ତୁମେ କେବେ ମୋ ସ୍ୱାଧୀନତାରେ ହସ୍ତକ୍ଷେପ କରିଛ ,ନା ମୁଁ କେବେ ତୁମ ସ୍ୱାଧୀନତାରେ ହସ୍ତକ୍ଷେପ କରିଛି !
ଦୁଇଟି ସ୍ୱାଧୀନ ପକ୍ଷୀ ଗୋଟିଏ ପଞୁରୀ ରେ ରହିଥିଲେ ।ତୁମେ କୁଆଡେ ଗଲାବେଳେ ମୁଁ ତୁମକୁ କହୁଥିଲି ,ଭଲରେ ଫେରି ଆସିବ …ଆଉ ମୁଁ କୁଆଡେ ଗଲେ ତୁମେ ମୋ କପାଳରେ ଚୁମା ଟେ ଦେଇ କହୁଥିଲ ଲଭ୍ ୟୁ ଡିୟର୍ । ବାସ୍ ଏତିକିରେ ହିଁ ଦୁହେଁ ଦୁହିଁଙ୍କୁ ବିଶ୍ୱାସ କରୁଥିଲୁ ।

ମୁଁ ଫୁଲ ବଗିଚା ତିଆରି କରିବାରେ ମନସ୍କ ରହୁଥିଲି ଆଉ ତୁମେ ବହି ଲେଖିବାରେ । ଯେଉଁ ଦିନ ତୁମ ବହି ଭିତରୁ ମୋ ବଗିଚା ର ଫୁଲଟେ ବାହାରେ ତୁମେ ମୋ ମନ କଥା ଜାଣିପାରି ମୋତେ କୋଳେଇ ନିଅ ।ମୋ ଦେହ ମନରେ ଭରିଦିଅ ଲକ୍ଷେ ଫଗୁଣର ମଧୁର ମତୁଆଲା ର ସ୍ପର୍ଶ ।ବାସ୍ ତା ପରେ ଆମେ ଜଳୁ ଥାଆନ୍ତି ଚୂଲି ଉପରେ ବସିଥିବା ଚା କ୍ୟାଟେଲି ପରି।

ବେଳେ ବେଳେ ମୁଁ ଚୁପ୍ ଚାପ୍ ବସିଯାଏ ଝୁଲନ୍ତା ଚେୟାର ଉପରେ ଅନେକ ସମୟ ଯାଏଁ ନୀରବରେ। ତୁମେ ମୋତେ ବୁଝିପାର ଶଶାଙ୍କ ।ବହିପତ୍ର ଫୋଫାଡିଦେଇ ମୋତେ ପଛ ଆଡୁ ଆସି ଜାବୁଡିଧର ଆଉ କୁହ…ପିଲାଟେ ନ ହେଲା ନାହିଁ ଆମର, ହେଲେ ଏତେ ଚିନ୍ତା କାହିଁକି ଯେ??ଆମେ ଦୁହେଁ ଦୁହିଁଙ୍କର ।ଏକା ସାଙ୍ଗେ ଜିଇଁବା ଆଉ ମରିବା ବି ।ତୁମ ସ୍ନେହରେ ମୁଁ ଟିକେ ହାଲକା ହୋଇଯାଏ ।ହସିଦିଏ ।ମୁଁ ହସିଲା ମାନେ ତୁମେ ତୁରନ୍ତ ବରାଦ କର …ୱାନ୍ କପ୍ ଅଫ୍ ଟି …ପ୍ଲିଜ….। ମୁଁ ଦୁମ୍ ଦୁମ୍ ହୋଇ ଉଠିଯାଏ ।କେତେ ଆଉ ଦିନ ସାରା ଚା କରୁଥିବି??ତୁମେ ତ ଗୋଟିଏ ବହି ପଢୁ ପଢୁ ଆଠଥର ଚା ମାଗିସାରିଥାଅ ।ମୋ ଗ୍ୟାସ୍ ଚୂଲାରେ ସବୁବେଳେ ଚା ସସପେନ୍ ହିଁ ବସିଥାଏ …

ଆଜି ବି ବାହାରେ ବର୍ଷା ।ମନେ ଅଛି… ବର୍ଷା ବିଜୁଳି ମାରିଲେ ମୁଁ କେମିତି ତୁମକୁ ଭୟରେ ଜାବୁଡି ଧରେ ଆଉ ତୁମେ ଛଟ ପଟ ହେଉଥାଅ ବର୍ଷାରେ ଭିଜିବା ଲାଗି??
ତୁମେ ମୋର ପୁରା ଅପୋଜିଟ୍ ଥିଲ ଶଶାଙ୍କ ।ତୁମକୁ ଚା ଭଲ ଲାଗେ ..ମୋତେ କଫି,ତୁମେ ଭେଜ୍ ଥିଲ ଆଉ ମୁଁ ନନ୍ ଭେଜ୍ ପସନ୍ଦ କରୁଥିଲି,ତୁମେ ବହିକୁ ଭଲ ପାଅ ଆଉ ମୁଁ ଫୁଲକୁ,ତୁମେ ରେଡିଓ ଶୁଣ ଆଉ ମୁଁ ଟିଭି ଦେଖେ,ତୁମେ ନୀରବତା ଖୋଜ ଆଉ ମୁଁ କୋଳାହଳ,ତୁମେ ଲେଖିବାକୁ ଭଲ ପାଅ ଆଉ ମୁଁ ଚିତ୍ର ଆଙ୍କିବାକୁ । ମୁଁ ତୁମ ସାଙ୍ଗସାଥୀ ଉପରେ ନଜର ରଖେନା କି ତୁମେ ବି ମୋ ପ୍ରିୟା ପ୍ରିତୀଙ୍କ ଉପରେ ପ୍ରଶ୍ନ କରନା ।ଏକ ସୁନ୍ଦର ସହବସ୍ଥାନ ତୁମ ଓ ମୋ ଭିତରେ ଥିଲା ।

ଏସବୁ ଭିତରେ ଗୋଟିଏ କଥା ହିଁ ସମାନ ଥିଲା ।ଦୁହେଁ ଦୁହିଁଙ୍କ ଉପରେ ଗୋଡ ନ ଲଦିଲେ ଭଲ ନିଦ ହୁଏନି ଆମକୁ । ତୁମେ ମୋତେ ଅଦ୍ଭୂତ ଜୀବ କହୁଥିଲ ଆଉ ମୁଁ ତୁମକୁ ଡ୍ରାକୁଲା ଡାକୁଥିଲି ।
ଏତେ ସବୁ ବୁଝାମଣା ସତ୍ତ୍ୱେ ବି କେଉଁଠି କେମିତି ସବୁ ହଠାତ୍ ବିଗିଡିଗଲା ଶଶାଙ୍କ?? ଶିକୁଳିର ଗୋଟିଏ କଡି କେଉଁଠି ଦୁର୍ବଳ ହୋଇ ଯାଇଥିଲା ବୋଧେ …
ତା ନହେଲେ ସେଦିନ ପିଙ୍କ୍ କଲର୍ ଶାଢୀଟେ ପିନ୍ଧି ଆକସ୍ମିକ ଭାବେ ଆସିଥିବା ସେ ନାରୀଟି ସହ ତୁମେ ଏତେ ଅନକମ୍ଫର୍ଟ କାହିଁକି ଥିଲ ଶଶାଙ୍କ?? ତୁମର ସେହି ଅନକମ୍ଫର୍ଟନେସ୍ ହିଁ ମୋତେ ଦ୍ୱନ୍ଦରେ ପକେଇ ଦେଲା । ମୋ ସହିତ ତାକୁ ପରିଚୟ କରାଇ ଦେଲାବେଳେ ଏତେ ଅସ୍ଥିର ଥିଲ କାହିଁକି?

ରୋଷେଇ ଘରେ ଚା କରୁ କରୁ ମୋ ନଜର ବାର୍ ବାର୍ ତୁମ ଆଡକୁ ଥିଲା ଆଉ ତୁମେ ବାର୍ ବାର୍ ଛେପ ଢୋକୁଥିଲ । ହଠାତ୍ ସେ ତୁମ ପାଖକୁ ଉଠି ଚାଲି ଆସିଲେ ଆଉ ତୁମକୁ କିଛି କଥା କହିଲେ । ତୁମେ ତାଙ୍କୁ ଅପଲକ ନୟନରେ କିଛି ସମୟ ଚାହିଁଲ । ସେ ଚାହାଣିର ଭାଷାକୁ ହୁଏତ ମୁଁ ପଢି ପାରିଥିଲି ଶଶାଙ୍କ କିନ୍ତୁ କିଛି କହିପାରି ନଥିଲି। ତରବରରେ ଚା ଛାଣି ଆସିଲା ବେଳକୁ ସେ ନାରୀ ଜଣଙ୍କ ନ ଥିଲେ ।

ତୁମେ ଅନ୍ୟ ମନସ୍କ ଦେଖା ଯାଉଥିଲ। ତୁମ ଅନ୍ୟମନସ୍କତା ହିଁ ମୋତେ ଅଧିକ ଦ୍ଵନ୍ଦ୍ଵ ରେ ପକାଇ ଦେଲା। । ତଥାପି ସାହସ କରି ପଚାରିଲି- ସେ କଣ ତୁମର ପ୍ରେମ?? ତୁମେ କିଛି କହିଲନି ।
ତୁମର ସେ ନୀରବତା ଭିତରେ ହିଁ ମୁଁ ଅନୁଭବ କଲି ମୋ ଭିତରେ ଥିବା ମୋ ଅଭାବ ବୋଧ ..କିନ୍ତୁ ଶଶାଙ୍କ ମୁଁ ତ ତୁମକୁ କେବେ ବାରଣ କରିନି ପ୍ରେମକରିବାକୁ ? ତାହେଲେ ଏ ଗୋପନୀୟତା କାହିଁକି?

ସେଦିନ ସାରା ରାତି ମୁଁ ଲୁଚାଇ ଲୁଚାଇ ଅନେକ କାନ୍ଦିଥିଲି । କେତେବେଳେ ଶୋଇ ଯାଇଛି ଜାଣେନା । ସକାଳୁ ଉଠିଲା ବେଳକୁ ତୁମେ ନାହଁ…ତୁମ ତକିଆ ଉପରେ ଗୋଟିଏ ଚିଠି। ପଢିଲି ,ତୁମେ ଲେଖିଥିଲ ଯେ ରେଣୁକୁ ତୁମେ ଭଲ ପାଉଥିଲ, ମୋତେ ବାହା ହେବ ପୂର୍ବରୁ… ସେ ତୁମର ପୂର୍ବ ପ୍ରେମିକା ଥିଲା । ଏବେ ତାର ଲିଭର୍ ଇନଫେକସନ୍ ଯୋଗୁଁ ସେ ଶେଷ ଅବସ୍ଥାରେ । ସେ ଏଠାରୁ ଗଲା ପରେ ଆଉ ସେ ହୋଟେଲ୍ କୁ ଫେରି ନାହିଁ ଯେଉଁଠି ତା ସ୍ୱାମୀ ତାକୁ ଅପେକ୍ଷା କରିଥିଲେ । ତେଣୁ ତାକୁ ଖୋଜିବାକୁ ଗାଡି ନେଇ ତୁମେ ବାହାରି ଯାଇଛ ।

… ତୁମେ ଗଲା ପରେ ମୁଁ ଆହୁରି ଜୋର୍ ରେ କାନ୍ଦିଲି । କାନ୍ଦଟା ତୁମ ପାଇଁ ନ ଥିଲା …ସେ ନାରୀ ଟି ପାଇଁ ଥିଲା ଯିଏ ନିଜ ଜୀବନର ଶେଷ ଅବସ୍ଥାରେ ତୁମକୁ ଦେଖା କରିବାକୁ ଆସିଥିଲା ଆଉ ମୁଁ ମୋ ଅଜଣାତରେ ତା ଲାଗି ଗୋଟେ ଘୃଣାର ପାହାଡ ସୃଷ୍ଟି କରି ସାରିଥିଲି ମନେ ମନେ … ଛିଃ, ନିଜକୁ ବହୁତ୍ ଖରାପ ଲାଗୁଥିଲା ।
ତୁମକୁ ଅପେକ୍ଷା କରିଥିଲି …ତୁମେ ଆସିଲେ ଭୂଲ୍ ମାଗିନେବି ବୋଲି । କାଲି ରାତିଠୁ ବର୍ଷା । ତୁମେ କିନ୍ତୁ ଫେରିଲନି । ସକାଳୁ ଗୋଟିଏ ଫୋନ୍ ଆସିଲା ତୁମର ଏକ୍ସିଡେଣ୍ଟ ହୋଇଯାଇଛି ଆଉ ତୁମର ସ୍ପଟ ଡେଥ୍ ହୋଇ ଯାଇଛି । ଏତକ ଶୁଣିଲା ପରେ ମୁଁ ଆଉ ମୋର ହୋଇ ନ ଥିଲି ।ମୋ ଦେହରୁ ମୁଁ ନିଜେ ବାହାରି ଆସିଛି

ଶୂନ୍ୟରେ ଭାସୁଛି ମୁଁ। ତୁମେ ବି କଣ ମୋ ଭଳି କେଉଁଠି ଭାସୁଛ ଶଶାଙ୍କ?
ହଠାତ ଘରର ଦରଜ ଆଡକୁ ମୋ ନଜର ଚାଲିଗଲା। ବାହାର ପଟୁ କବାଟ କିଏ ଖଟ ଖଟ କରୁଛି ? ପଡୋଶୀ କିଏ ହୋଇଥିବେ । ହେଲେ ଏବେ କବାଟ ଖୋଲିବାକୁ ମୁଁ ତ ମୁଁ ହୋଇ ଆଉ ନ ଥିଲି .. ବାହାର ପଟୁ କବାଟର ଲକ୍ ଖୋଲି ପଶି ଆସିଲେ ଜଣେ…
ଏଁ …ଏ ତ ତୁମେ ଶଶାଙ୍କ ।

ମୁଁ ପ୍ରଥମେ ବିଶ୍ବାସ କରି ପରି ନଥିଲି। । ଛାତ ପାଖରୁ ସାଏଁ କିନା ତଳକୁ ଖସି ଆସି ତୁମକୁ କୁଣ୍ଢେଇ ପକେଇଲି …ହେଲେ ଏ କଣ, ମୁଁ ତୁମର ସ୍ପର୍ଶ ପାଇ ପାରୁ ନ ଥିଲି । ତୁମେ ବି କିଛି ନ ଜାଣିଲା ପରି ଟେବୁଲ୍ ପାଖକୁ ଗଲ ଓ ଶୋଇଥିବା ମୋ ଦେହକୁ ଚାହିଁ କହିଲ…ଜାଣିଛ,ରେଣୁକୁ ଖୋଜିବାକୁ ତ ଯାଇଥିଲି ହେଲେ ଏହା ଭିତରେ ଗୋଟିଏ ଦୁର୍ଘଟଣା ଘଟିଗଲା । ରେଣୁ ର ସ୍ୱାମୀ ମୋ ଗାଡି ମାଗିଲେ ଆଉ ମୁଁ ଦେଇ ଦେଲି । ଗାଡି ଭିତରେ ମୋବାଇଲ୍ ବି ଥିଲା । ଗାଡିଟା ର ଏକ୍ସିଡେଣ୍ଟ ହୋଇଗଲା ବାଟରେ ଆଉ ରେଣୁର ର ସ୍ୱାମୀ ସ୍ପଟ୍ ଡେଥ୍ । କିଛି ସମୟ ଆଗରୁ ମୁଁ ତାଙ୍କୁ ସ୍ପଟ ଉପରେ ଦେଖିକି ଆସିଲି । ଥାନାରେ ଏଫାୟାର ଦେଇ କି ଆସୁଛି। ରେଣୁ ବି ବଞ୍ଚିବକି ନା ଜାଣେନା ସିଭିୟର ଇଞ୍ଜୁରି । ବଞ୍ଚିବାର ସମ୍ଭାବନା କମ୍ ।

ତୁମ କଥା ଶୁଣି ମୁଁ ତୁମକୁ କ୍ଷମା ମାଗିନେଲି ଓ ତୁମ ବ୍ୟସ୍ତ ମନକୁ ସାନ୍ତ୍ଵନା ଦେଲି। କିନ୍ତୁ ତୁମେ କିଛି ଶୁଣି ପାରୁନଥିଲ।
ତୁମେ ଅଧିକରୁ ଅଧିକ ବ୍ୟସ୍ତ ହେଲ। କାଲିକା ଘଟଣା ଲାଗି ବାରମ୍ବାର ସରି କହିଲ ଓ ମୋ ଖଟ ପାଖକୁ ଆସି ବସିଲ । ଭାବୁଥିଲ ମୁଁ ଶୋଇଛି ବୋଲି । ମୋତେ ଧୀରେ ଧୀରେ ଆଉଁସିଲ । ମୁଁ ନ ଉଠିବାରୁ ମୋତେ ହଲେଇଲ …ଝୁଙ୍କିଲ…ତା ପରେ ମୋ ନାଡି ପରୀକ୍ଷା କଲ । ନା,ତୁମେ କିଛି ବିଶ୍ୱାସ କରି ପାରିଲନି। ଭୟ ପାଇଗଲ। ଚିତ୍କାର କରି ମୋତେ ଡାକିଲ। ମୋ ଛାତିରେ ହାର୍ଟ ପାଖରେ ଦୁଇ ହାତ ଥୋଇ ପମ୍ପିଂ କଲ ,କାଳେ ମୋର ନିଃଶ୍ୱାସ ଫେରି ଆସିବ ବୋଲି। ମୁଁ ହଲଚଲ ହେଉ ନ ଥିଲି ।ମୋ ଅଣ୍ଟାରେ କୁତୁ କୁତୁ କଲେ ମୁଁ ଚିହିଁକି ପଡେ ବୋଲି ତୁମେ ସେଟା ବି କଲ ହେଲେ ମୋ ଶରୀର କାଠ ଭଳି ପଡି ରହିଥିଲା । ତୁମେ ଅସହାୟ ହୋଇ ଜୋରରେ କାନ୍ଦି ଉଠିଲ ..ତୁମକୁ ଛାଡି ଚାଲି ଯାଇଛି ବୋଲି ବାରବାର୍” ହେଟ୍ ୟୁ ” ବୋଲି ବି କହୁଥିଲ ।ମୋ ଦେହକୁ ଜାବୁଡି ଧରି ପାଗଳଙ୍କ ପରି ହେଉଥିଲ ।

ହଁ ..ନ ହେବ କେମିତି??ଆମେ କଥା ହେଇଥିଲେ ସାଙ୍ଗରେ ଜିଇଁବା ଆଉ ମରିବା ବୋଲି ,ହେଲେ ଭାଗ୍ୟ ଆଉ ଭଗବାନ ଙ୍କର ତାସ୍ ର ଖେଳ କିଛି ଅଲଗା ଥିଲା ବୋଧେ । ତୁମ କାନ୍ଦ ଦେଖି ମୁଁ ତୁମ ପାଖରେ ହିଁ ବସିଥିଲି । ତୁମକୁ ଟାଣି କହୁଥିଲି..ଦେଖ,ମୁଁ ଏଇଠି ଅଛି । ତୁମେ କାନ୍ଦନା.ମୋ ରାଣ ।ମୁଁ ..ମୁଁ ତୁମକୁ ଧୋକା ଦେଇନି ଶଶାଙ୍କ । ତୁମ ନଥିବା ଖବର ଶୁଣି ମୋର ହାର୍ଟ ଷ୍ଟ୍ରୋକ୍ ହେଇଗଲା
ତୁମ କାନ୍ଦ ଦେଖି ମୁଁ ସମ୍ଭାଳି ପାରିଲିନି ।ବ୍ୟସ୍ତ ହେଲି ତୁମକୁ ପାଇବି ବୋଲି । ଦୌଡିଗଲି ମୋ ନିଥର ଦେହ ପାଖକୁ ।ଖୁବ୍ ଚେଷ୍ଟା କରୁଥିଲି ସେ ଦେହ ଭିତରକୁ ପଶିବାକୁ ହେଲେ ସେ ଦେହ ଭିତରକୁ ଯିବା ସମସ୍ତ ରାସ୍ତା ବନ୍ଦ ଥିଲା ।

ମୋର ସମସ୍ତ ଚେଷ୍ଟା ହାର୍ ମାନୁଥିଲା ।ମୁଁ ପୁଣି ବିକଳ ହୋଇ ତୁମକୁ ଅନେଇଲି …ତୁମେ କାନ୍ଦି କାନ୍ଦି ବେଦମ୍ ହୋଇଯାଉଥିଲ । ମୋ କଥା ଟିକେ ବି ତୁମକୁ ଶୁଭୁ ନ ଥିଲା । ତୁମ ଚିତ୍କାର ଶୁଣି ପାଖ ପଡିଶା ଲୋକମାନେ ଜମା ହେଉଥିଲେ। ଘର ବାହାରେ ପୋଲିସ ଭ୍ୟାନ ବି ରହିବାର ଶବ୍ଦ ଶୁଣାଗଲା । ସେମାନଙ୍କୁ ଦେଖି ତୁମେ ଅଧିକରୁ ଅଧିକ କାନ୍ଦିଲ। ସେମିତି କାନ୍ଦୁ କାନ୍ଦୁ ହଠାତ ତୁମ ମୁର୍ଚ୍ଛିତ ଦେହ ଲୋଟି ପଡିଲା ଭୁଇଁରେ । କିଛି ଲୋକ ପଣି ଛାଟୁଥିଲେ ତୁମ ମୁହଁରେ ହାତଯୋଡି ଭଗବାନଙ୍କୁ ଡାକୁଥିଲି କିଛି ଗୋଟେ ଚମତ୍କାର କର ପ୍ରଭୂ। ମୁଁ ଯେମିତି ମୋ ଦେହ ଭିତରକୁ ପଶିପାରିବି….
ଚମତ୍କାର କିନ୍ତୁ ଘଟିଲା।

ଲୋକମାନେ ଧୀରେ ଧୀରେ ଚାଲିଯାଉଛନ୍ତି । ପୋଲିସ ଭ୍ୟାନ ମୋ ଦେହକୁ ନେଇ ଚାଲି ଗଲାଣି। ମୁଁ କିନ୍ତୁ ତା ପଛେ ପଛେ ଗଲିନି । ତୁମକୁ ଏକା ଛାଡି ଦେଇ ମୁଁ କେମିତି ଯାଇ ପାରିଥାନ୍ତି ଶଶାଙ୍କ?
ଘର ଖାଲି ହୋଇ ସାରିଥିଲା ।ଘର ଭିତରେ ଖାଲି ତୁମେ ଓ ମୁଁ ।
ତୁମେ ଧୀରେ ଧୀରେ ଭୁଇଁରୁ ଉଠି ଚାରି ଆଡକୁ ଚାହିଁଲ। ସମସ୍ତେ ଚାଲିଗଲା ପରେ ଚାରିଆଡକୁ ଚାହିଁ ତୁମେ ବାଥରୁମ ର ଦରଜା ଖୋଲିଲ ଓ ଦର୍ପଣରେ ନିଜ ମୁହଁକୁ ଦେଖି ମୁରୁକି ହସିଲ ? ମୁଁ ହତବାକ୍ ହୋଇ ତୁମକୁ ଦେଖୁଥିଲି। ହଠାତ ପକେଟରୁ ମୋବାଇଲ କାଢି ତୁମେ କାହାକୁ ଫୋନ କଲ । ଫୋନ କଲାବେଳେ ଓଠ ଚାପି ଚାପି ହସୁଥିଲ। ପକେଟ ପାନିଆଁ ରେ ମୁଣ୍ଡ କୁଣ୍ଡାଇଲ। । ତା ପରେ ଝର୍କା ବାଟେ ରାସ୍ତାକୁ ଚାହିଁଲ। ଘର ବାହାରେ ଗୋଟେ ଗାଡି ଆସି ରହିଲା। ୟେ ତ ଆମ ଗାଡି? ଗାଡି ଭିତରୁ ଓହ୍ଲାଉ ଥିଲା ସେଇ ଝିଅଟି ସିଏ କଣ ସତରେ ରେଣୁ? ସତରେ?
ତା ହେଲେ ମୁଁ ପାଇଥିବା ଫୋନ୍ କଲ୍..ଗାଡି ଏକ୍ସିଡେଣ୍ଟ …ଏ ସବୁ ମିଛ??ଇସ୍…ଶେଷରେ ତୁମେ ବି……
ଏବେ ମୋ ଦେହକୁ ଛୁରୀରେ କାଟୁଥିବେ ଡାକ୍ତରମାନେ । ହେଲେ ଶବ ର ଯନ୍ତ୍ରଣା ବା କଣ ? କିନ୍ତୁ ଦେଖ ଶଶାଙ୍କ, ଜିଅନ୍ତା ଆତ୍ମା କେମିତି ଖଣ୍ଡ ଖଣ୍ଡ ହୋଇ କଟୁଛି ଛଳନାର ଛୁରୀରେ ….
ସତରେ ଶଶାଙ୍କ, ମରିଗଲା ପରେ ବହୁତ କଥା ଦିଶେ ଯାହା ଜିଇଁ ଥିଲା ବେଳେ ଆଦୌ ଦିଶେନା ।

LEAVE A REPLY

Please enter your comment!
Please enter your name here