କେଉଁ ଭୟରେ ବଞ୍ଚିଛି ମଣିଷ ଏ ଯାଏଁ??ଅନ୍ୟକୁ ଭୟ… ବୋଲି କହୁ ଥିବା ମଣିଷଟି ଅସଲରେ ନିଜକୁ ହିଁ ଭୟ କରେ ପ୍ରତିଟି ମୁହୂର୍ତ୍ତରେ ।ସତ୍ୟକୁ ସାମ୍ନା କରିପାରୁ ନ ଥିବା..ପରିସ୍ଥିତିକୁ ସାମ୍ନା କରିପାରୁ ନଥିବା..ଅନ୍ଧାର ରାତିରେ ନିଜକୁ ନିଜେ ସାମ୍ନା କରିପାରୁ ନ ଥିବା ମଣିଷ ହିଁ ଅନ୍ୟର ଆଳ ଦେଖାଇ,ସମାଜକୁ ଦ୍ୱାହି ଦେଇ କୁହେ ମୋର ନିଜକୁ ଭୟ ନାହିଁ.. ଭୟ ତ ଅନ୍ୟକୁ ।

ଅନ୍ୟକୁ ଭୟ କରିବାର କୌଣସି କାରଣ ହିଁ ନ ଥାଏ ଯେତେବେଳେ କି ନିଜ ଭିତରେ ସାହାସର ବୀଜ ଅଙ୍କୁରୋଗଦମ୍ ହୁଏ ।ମନ ଦର୍ପଣ ଆଗରେ ଯେତେବେଳେ ମଣିଷ ନିଜର ଅସ୍ତିତ୍ୱକୁ ନେଇ ସଚେତନ ହୋଇଯାଏ,ନିଜକୁ ସ୍ୱଛ ବୋଲି ପ୍ରମାଣିତ କରିଦିଏ ସେତେବେଳେ ମନର ଭୟ ମରିଯାଏ ।ହେଲେ ଏଠି ଆଉ ଗୋଟେ କଥା ବି ଅଛି ଯେ …ତୁମେ ସ୍ୱଛ ବୋଲି ପ୍ରମାଣିତ କରୁଥିବା ବିବେକଟି କେତେଦୂର ପ୍ରଜ୍ଞାଶୀଳ ତାହା ବି ବିଚାରର କଥା ।ତେବେ ସେ ପ୍ରଜ୍ଞାଟି କଣ??ତା ହେଉଛି ତୁମେ ତୁମ ନିଜକୁ କେତେ ଜାଣ ??ତୁମ ସ୍ୱଭାବ ବିଷୟରେ କଣ ତୁମେ ସଂପୂର୍ଣ ରୂପେ ଅବଗତ??

କହିଲେ ଆପଣ ମାନେ ହସିବେ…ଯେଉଁମାନେ କୁହନ୍ତି ମୁଁ ଖୁବ୍ ଶାନ୍ତ ..ସେହି ମାନେ ହିଁ ନିଜ ଅଜଣାତରେ ଖୁବ୍ ରାଗି ଥାଆନ୍ତି ।ଯିଏ କୁହେ ମୁଁ ମାୟାହୀନ ..ସେ ମାୟା ଯୁକ୍ତ ।ଯିଏ କୁହେ ମୁଁ ଖୁବ୍ ବିଶ୍ୱାସୀ …ସେ ହିଁ ଅବିଶ୍ୱାସର ମଞି ପୋତିଥାଏ ।ଆଉ କିଛି ଲୋକ କୁହନ୍ତି ମୁଁ ସମସ୍ତଙ୍କ ଠାରୁ ଟିକେ ଅଲଗା ।ଏଠି ସେ ଅଲଗା କଣ ସେ ନିଜେ ବି ଜାଣି ନ ଥାଆନ୍ତି ।ଏହି ନିଜକୁ ନିଜେ ନ ଜାଣିବାର ପଣ ହିଁ ମଣିଷକୁ ଭୟ ଜାତ କରାଏ ।

ମୁଁ ଯାହା ଅଟେ ବୋଲି କୁହେ,ତାହା ଅନ୍ୟ ଲୋକ ଯେତେବେଳେ ପ୍ରମାଣ କରିଦିଏ ଯେ ମୁଁ ସେଇଆ ନୁହେଁ ,ସେତେବେଳେ ହିଁ ଭୟ ଆସେ ।ନିଜକୁ ସାଧୁ ବୋଲି କହୁଥିବା ମଣିଷ ଯେତେବେଳେ ଚୋର ବୋଲି ପ୍ରମାଣିତ ହେବ ତେବେ ତାର ହାଲ୍ କଣ ହେବ??ତେଣୁ ସାଧୁଟିଏ ବି ଭୟରେ ଜିଏଁ ଆଉ ଚୋରଟିଏ ବି ଭୟରେ ଜିଏଁ ।ସବୁ ଏଠି ଭୟରେ….

ଅନ୍ୟକୁ ଖରାପ କହୁଥିବା ଲୋକଟି ନିଜକୁ ଭଲ ସଜାଇବାକୁ ଯାଇ ଅନ୍ୟ ବିରୁଦ୍ଧରେ କେତେ ଖରାପ କହିବାକୁ ପ୍ରୟାସ ନ କରେ??ହା …ହା…ଅନ୍ୟମାନେ ଖରାପ ପ୍ରମାଣିତ ହେଲେ ହିଁ ତ ଯାଇଁ ମୁଁ ଭଲ ହୋଇ ପାରିବି !! କି ବିକୃତ ଚିନ୍ତାଧାରା ।ଆଉ ଯେଉଁ ଖରାପ ସ୍ୱଭାବ ଗୁଡିକ ଅଛି ବୋଲି ଆମେ ଅନ୍ୟକୁ ଖରାପ ସଜାଉ …ଅଜଣାତରେ ସେଇ ଖରାପ ସ୍ୱଭାବ ଗୁଡିକ ଆମ ଭିତରେ କଡ ଲେଉଟାଉ ଥାଆନ୍ତି ଧିରେ ଧିରେ ।ସେଇଟା ହିଁ ଭୟ ।ସେଥିଲାଗି ଅନ୍ୟଠାରୁ ନିଜକୁ ଦୂରେଇ ନେଉ ଆଉ କହୁ ସମାଜର ଭୟ ।

ମୁଁ ନିଜେ ଜଣେ ଉତ୍ତମ ପୁରୁଷ …ଭଲ ମଣିଷ…,ଏହା ର ପ୍ରମାଣ ଦେଇ ଦେଇ ଜୀବନ କଟିଯାଏ ଗୋଟେ ଭୟ ଭିତରେ । ନିଜ ର ଖରାପକୁ ସ୍ୱିକାର କରି ପାରୁ ନଥିବା ମଣିଷ ହିଁ ଭୟାଳୁ ହୋଇ ଜିଏଁ ସାରା ଜୀବନ ।

ଜୀବନ ତମାମ୍ ଭଲ ମଣିଷ ଟେ ହେବାର ପ୍ରୟାସ ଜାରି ରହିଥାଏ …କେଉଁ ବା ହୋଇପାରୁ ଖାଣ୍ଟି ଚବିଶ୍ କ୍ୟାରେଟ୍ ର ମଣିଷ ଟେ ଜୀବନ କାଳ ଭିତରେ??କାରଣ ଆମେ ତ ଅନ୍ୟର ଖରାପ ଖୋଜିବାରେ ହିଁ କାଳ କାଟିଦେଉ….

LEAVE A REPLY

Please enter your comment!
Please enter your name here