ଏମିତି ବି ଗୋଟିଏ ଗାଁ ଥିଲା ଯେଉଁଠି ଇଶ୍ୱର କହିଲେ ଲୋକ ମାନେ ଉପରକୁ ହାତ ଟେକି ଡାକୁଥିଲେ ।
ପାଖରେ ଏମିତି ଗୋଟେ ବି ଗୋଟେ ପାହାଡ ଥିଲା ଯେଉଁଠୁ ସଂଧ୍ୟା ହେଲେ ବଣମଲ୍ଲୀର ବାସନା ଆସୁଥିଲା ।
କେହି ଜଣେ ବୁଦ୍ଧିଜିବୀ ପାହାଡକୁ ଅନେକ ସମୟ ଅନାଇ ଅନାଇ କିଛି ଭାବୁଥିଲେ ।ଶେଷରେ ନିଷ୍ପତ୍ତି ନେଲେ ବାସନା ଆସୁଥିବା ଜାଗାରେ ଗୋଟିଏ ମନ୍ଦିର କରିବେ ।
ଲୋକମାନେ ଆଶ୍ଚର୍ଯ୍ୟ ହେଲେ …ଏ ମନ୍ଦିର ମାନେ କଣ?
ବୁଦ୍ଧିଜିବୀ ଜଣଙ୍କ ବୁଝାଇ ଦେଲେ ମନ୍ଦିର ମାନେ ସାମୁହିକ ଭାବରେ ଗୋଟିଏ ଜାଗାରେ ପ୍ରାର୍ଥନା ।ଯେଉଁଠି ଜାତି ଭେଦ,ବଡ ଛୋଟ,ଧନୀ ଗରିବ, ସବୁ ସମାନ ଆଉ ଲୋକ କଲ୍ୟାଣ ଏକ ମାତ୍ର ହିଁ ଉଦ୍ଧେଶ୍ୟ ।
ମନ୍ଦିରଟି ଖୁବ୍ ଉତ୍ସାହରେ ତିଆରି କରାଗଲା ।
ଗାଁ ଲୋକ ମାନେ ଝାଳ ନାଳ ହୋଇ ,ଖଣ୍ଡିଆ ଖାବରା ହୋଇ ,ନିଜ ପରିଶ୍ରମରେ ମନ୍ଦିରଟି ତୋଳିଲେ ।

ଏବେ ସେଇ ମନ୍ଦିର ଟି ଥିଲା ଗୋଟିଏ ଆଶ୍ରୟ ସ୍ଥଳ ସବୁ ଆହାତ ହୃଦୟ ମାନଙ୍କର ।ମନ୍ଦିରଟି ଅନେକ ସାନ୍ତ୍ୱନା ଦିଏ ସେମାନଙ୍କୁ ।ହୃଦୟ ଦିଆ ନିଆ ହୁଏ ସେଠି ।
ସମୟ ଗତିକରୁଥିଲା ।ମନ୍ଦିରଟି କୁ ବନେଇ ଥିବା ଲୋକମାନେ ବି ମରିଗଲେ ।ପିଢି ପରେ ପିଢି ଗଢି ଉଠୁଥିଲା ।ମନ୍ଦିର ଏବେ ଅନେକ ଅନୁଭବର ମଞି ଧରି ବସିଥିଲା ।ଉପଯୁକ୍ତ ପାତ୍ର ଟେ ମିଳିଲେ ଅନୁଭବ ସବୁ ଅଜାଡି ଦେବ ବୋଲି ।

କିଛି ଲୋକ ଆସୁଥିଲେ ।ଅନୁଭବ ଶୁଣୁଥିଲେ ହେଲେ ସେମାନଙ୍କ ନଜର ମନ୍ଦିରର କାରୁକାର୍ଯ୍ୟ ଉପରେ ଥିଲା ।ମନେ ମନେ ସେମାନେ ନକ୍ସା ତିଆରି କରୁଥିଲେ ଆଉ ଏକ ନୂଆ ମନ୍ଦିରର ।ପୁରୁଣା ମନ୍ଦିରଟି ତାଙ୍କ ଉଦ୍ଧେଶ୍ୟ ବେଶ୍ ଭଲ ଭାବରେ ବୁଝି ପାରୁଥିଲା ।
ଏବେ ସେଇ ଗାଁ ରେ ଅନେକ ଛୋଟ ବଡ ମନ୍ଦିର ମୁଣ୍ଡ ଟେକି ଉଠିଲାଣି । ଲିଚୁ ଲାଇଟ୍ ରେ ଗାଁର ମନ୍ଦିର ସବୁ ଦପ୍ ଦପ୍ ହୁଅନ୍ତି । ଲୋକ ବି ସହଜ ଭାବ ଖୋଜନ୍ତି ।ଏତେ କଷ୍ଟ କରି କିଏ ଯିବ ସେ ପୁରୁଣା ମନ୍ଦିରକୁ ଦୀପଟେ ଜାଳିବାକୁ??ଯେ ହେତୁ ଘର ସମ୍ମୁଖରେ ମନ୍ଦିର ମାଳ ମାଳ ।ଅତି ବେଶୀରେ ଦୂରରୁ ଥାଇ ହାତ ଯୋଡି ଜୁହାରଟେ ହୁଅନ୍ତି ସେ ପୁରଣା କୁ ଦେଖି ।
ନୂଆ ମନ୍ଦିରରେ ଗାତ୍ର କୁ ଆକର୍ଷଣୀୟ କରିବାକୁ ପୁରୁଣା ମନ୍ଦିରର କାନ୍ଥ ଖୋଳି କାରୁ କାର୍ଯ୍ୟ ର ପଥର ବି ଚୋରି ହେଲା ।ଯେମିତି ମଣିଷ ଦେହରୁ ଅଙ୍ଗ ପ୍ରତ୍ୟଙ୍ଗ ଛଡାଇ ନେବା ଭଳି କଥା ।ପୁରୁଣା ମନ୍ଦିରର ରାସ୍ତା ଗଛ ପତ୍ର ରେ ରୁଦ୍ଧ ହେବାକୁ ଲାଗିଲା ।
ପୁରୁଣା ମନ୍ଦିର ତଥାପି ମହକୁଥିଲା ବଣ ମଲ୍ଲୀରେ ।

ଏବେ ପୁରୁଣା ମନ୍ଦିର କେବଳ ଗଛ ପତ୍ର ଆଉ ଜୀବଜନ୍ତୁ ରେ ଭର ପୁର ।ପୁରୁଣା ମନ୍ଦିର ଟି ଦିନେ ଦୁଃଖରେ ଜୀବଜନ୍ତୁ ଙ୍କୁ କହିଲା …ମନ୍ଦିର ତ ମଣିଷ ମାନଙ୍କ ପାଇଁଥିଲା ।ତୁମେ ମାନେ ଆଉ କାହିଁକି ଆସୁଛ??ମୁଁ ତ ଜରାଜୀଣ୍ଣ ହେଲିଣି …କେତେବେଳେ ଗଡି ପଡିବି ।ବରଂ ତୁମେ ମାନେ ଯାଅ ନୂଆ ମନ୍ଦିର ପାଖକୁ ।ସେଠାରେ ବଞ୍ଚିବାର ଅନେକ ମାଧ୍ୟମ ମିଳିଯାଇ ପାରେ।
ଜୀବଜନ୍ତୁଙ୍କର ଅଗାଧ ଜ୍ଞାନ ନଥିଲା ମନ୍ଦିରର କଥା ବୁଝିବାକୁ ।ସେମାନେ ଖାଲି ଏତିକି କହିଲେ…ତୁମ ଛାଇ ଆଉ ବଣ ମଲ୍ଲୀର ବାସ୍ନା ଆମକୁ ତୁମ ପାଖକୁ ଟାଣି ଆଣେ ।
ପୁରୁଣା ମନ୍ଦିର ଟି ହସି ଉଠିଥିଲା ଶରଶଯ୍ୟାରେ ଶୋଇଥିବା ପିତାମହ ଭୀଷ୍ମଙ୍କ ଶେଷ ହସ ପରି ।

LEAVE A REPLY

Please enter your comment!
Please enter your name here