ବିଡି ଟାଣୁଥିବା କନେଷ୍ଟବଳ ଟି ହାଜତ ଭିତରେ ଥିବା ପିଲାଟିକୁ ପଚାରୁଥିଲା “ତୋର ବୟସ କେତେ”??
ପିଲାଟି ବେପରୁଆ ଠାଣିରେ ଜବାବ୍ ଟିଏ ଫିଙ୍ଗିଦେଲା …ଚଉଦ ।ମୁହଁ କୁ ଚୁଚୁନ୍ଦ୍ରା ଭଳି କରି ପାଟିରେ ପୁଣି “ଚିକ୍ ଚିକ୍”କରି ଆବାଜ୍ କାଢୁଥିଲା ।ତାର ଚିକ୍ ଚିକ୍ ଶବ୍ଦ ଶୁଣି ଚୁଟିଆ ମୂଷାଟେ ଆ ..ଯା..ହେଉ ଥିଲା ।ପିଲାଟି ମୂଷା ସହ ବୋଧେ ଚୋର ପୁଲିସ୍ ର ଖେଳ ଖେଳୁଥିଲା ।ମୂଷାଟି ବାଟ ନ ପାଇ ପାଣି ହାଣ୍ଡି ଉପରେ ଚଢି ଯାଉଥିଲା ତ କେତେବେଳେ କୋଣରେ ପଡିଥିବା ଉଷୁମୁଳିଆ କମଳ ତଳେ ଲୁଚି ଯାଉଥିଲା ।
କନେଷ୍ଟବଳକୁ ବି ମଜା ଲାଗୁଥିଲା ।ପଚାରିଲା.. ତୋ ନାଁ କଣ??

-ପାଣ୍ଡୁ..
କିଛି ଦୂରରେ ପୋଲିସ୍ ଇନିସ୍ପେକ୍ଟର ସବୁ ଦେଖୁଥିଲେ ଆଉ ଶୁଣୁଥିଲେ ।ତାଙ୍କ ଟେବୁଲ୍ ଉପରେ ଏବେ ବି ସେଇ ଜରିପକେଟ୍ ଟି ପଡି ରହିଥିଲା ।ଯାହା ଲାଗି କିଛି ବାଟ ଦୌଡି ଦୌଡି ଇନିସ୍ପେକ୍ଟର ଜରିସହ ସେ ପିଲାଟିକୁ ଧରିଥିଲେ ।
ଜରି ଭିତରେ ଯାହା ଥିଲା ତାହାକୁ ଦେଖି ଇନ୍ସପେକ୍ଟର ପିଲାଟିକୁ ନିଜ ଇଛାରେ ବି ଛାଡି ଦେଇ ପାରି ଥାଆନ୍ତେ ହେଲେ ସେ ଛାଡି ନ ଥିଲେ ।ଏହା ପଛରେ ବି ଗୋଟିଏ କାରଣ ଥିଲା ।ପିଲାଟି ଦେହରେ ଦାମୀ ସ୍କୁଲ୍ ର ହଳେ ୟୁନିଫର୍ମ ଥିଲା ।ଭଲ ଘରର ପିଲାମାନେ ବି ଏତେ ଛୋଟ ଜିନିଷ କୁ ବି ଚୋରି କରିପାରନ୍ତି..ଏତକ ଜଣାଇବାକୁ ପିଲାଟିର ଗାର୍ଡିୟନ୍ କୁ ଅପେକ୍ଷା କରିଥିଲେ ଇନ୍ସପେକ୍ଟର ବାବୁ ।
ରୋଲ୍ ବାଡିରେ ଜରିଭିତରେ ଥିବା ଜିନିଷଟିକୁ ସେ ବାରବାର ଏପଟ ସେପଟ କରୁଥିଲେ ।ଜିନିଷଟି ଦବି ଯାଉଥିଲା ପୁଣି ଫୁଲି ଉଠୁଥିଲା ।
ଜରି ଭିତର ର ଜିନିଷଟି ଗୋଟିଏ ଗୋଲ୍ “ପାଁ ରୁଟି” ହିଁ ଥିଲା…..

ଥାନା ଭିତରକୁ ଜଣ ଜଣ କରି ଚାରିଜଣ ପଶିଲେ ।ସେ ଚାରିଜଣଙ୍କୁ ଦେଖି ପାଣ୍ଡୁ ଦୂରରୁ ପାଟି କରି କହୁଥିଲା..
ହାଏ ଭେଜିଟେବଲ୍ ଅଙ୍କଲ୍..ହାଏ ଟେଲର୍ ଅଙ୍କଲ୍…ହାଏ କ୍ଲର୍କ ଅଙ୍କଲ୍…ହାଏ ହୋଟେଲ୍ ଅଙ୍କଲ୍ …
ଇନସ୍ପେକ୍ଟର୍ ବାବୁ ସମସ୍ତଙ୍କୁ ଗାଢରେଇ ଅନେଇଲେ ।ସମସ୍ତେ ତଳମୁହାଁ ହୋଇ ଠିଆ ହୋଇଥିଲେ ।
ଗୋଟିଏ ପିଲା ପାଇଁ କଣ ଚାରିଜଣ??ଆପଣ ମାନଙ୍କ ଭିତରୁ ପାଣ୍ଡୁର ଅସଲ ଗାର୍ଡିଏନ୍ ଟା କିଏ??ଗମ୍ଭୀର ସ୍ୱର ଥିଲା ଇନସ୍ପେକ୍ଟର ବାବୁଙ୍କର..
-ଅସଲ ଗାର୍ଡିଆନ୍ ଆମ ମାନଙ୍କ ଭିତରୁ କେହି ବି ନୁହଁ ସାର୍ ।ପାଣ୍ଡୁର ଅସଲ ଗାର୍ଡିୟନ୍ ରହିମ୍ ଚାଚା ।ସେ ଖୁବ୍ ଅସୁସ୍ଥ ।ସେଥିଲାଗି ଆମ ମାନଙ୍କୁ ଆସିବାକୁ ପଡିଲା ।ତାକୁ ଛାଡି ଦିଅନ୍ତୁ ସାର୍ ।ସେ ଦୋଷୀ ନୁହେଁ ।ଆପଣ ଆମ ମାନଙ୍କୁ ହାଜତରେ ପୁରାଇ ଦିଅନ୍ତୁ କାରଣ ଅସଲ ଦୋଷୀ ଆମେ ମାନେ …।ସେମାନଙ୍କ ଭିତରୁ ଦାଢି ରଖିଥିବା ଗୋଟିଏ ଲୋକ ମୁହଁ ତଳକୁ କରି କହିଲା ।

କେସ୍ ଟା ଯେତିକି ଜଟିଳ ଲାଗୁଥିଲା ସେତିକି ରହସ୍ୟମୟ ବି । ଭେରୀ ଇଣ୍ଟରେଷ୍ଟିଂ ।
ଇନସ୍ପେକ୍ଟର ବାବୁ ନିଜକୁ ଟିକେ ସଜାଡି ନେଇ ଗଳା ଖିଙ୍କାରି କହିଲେ ସଫାସଫା କୁହ କଥା କଣ??ଆପଣ ମାନେ ଜାଣନ୍ତି କି ..ପାଣ୍ଡୁ ପାଁ ରୁଟି ଟିଏ ଚୋରି କରି ଧାଉଁଥିଲା ।ଚୋରିଟା ଏତେ ଗୁରୁତର ନୁହେଁ ହେଲେ ଏମିତି ଛୋଟ ଚୋର ଦିନେ ବଡ ଚୋର ରେ ପରିଣତ ହୁଏ ।ଆଉ ଆଶ୍ଚର୍ଯ୍ୟ ସେ ସ୍କୁଲ୍ ରେ ପଢୁଛି ତଥାପି ଭଲ ମନ୍ଦ ଜାଣି ପାରୁନି??ସେଥିଲାଗି ମୁଁ ତା ଗାର୍ଡିୟନ୍ କୁ ଅପେକ୍ଷା କରିଥିଲି ।ପାଣ୍ଡୁ ଦୋଷୀ..ତାକୁ ଦଣ୍ଡ ମିଳିବା ଦରକାର ।

ନା ସାର୍ ପାଣ୍ଡୁ ଦୋଷୀ ନୁହଁ..ଆମେ ଦୋଷୀ ।ଆମେ ସମସ୍ତେ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ।ଚାରିଜଣ ଏକା ସାଙ୍ଗରେ କହି ଉଠିଲେ …
ସେମାନଙ୍କ କଥା ଶୁଣି ଇନସ୍ପେକ୍ଟର ତାଙ୍କ ଅସଲ କଥା ଜାଣିବାକୁ ପ୍ରୟାସ କଲେ ।ଯାହା ଶୁଣିଲେ ସେଥିରେ ତାଙ୍କ ମୁଣ୍ଡ ଗୋଳମାଳିଆ ହୋଇ ଗଲା ।କଥାଟା ଥିଲା ଏମିତି..
ରହିମ୍ ଚାଚା ଏକ ପେଶାଦାର ଚୋର ।ଦିନେ ସେ ଚୋରୀ କରିନୁହେଁ..ଏମିତି ଦିନେ ତାକୁ ଖାଲିରେ ମିଳିଗଲା ଚାରୋଟି ଅନାଥ ,ବିକଳିଆ.. ପେଟ ଖଙ୍କାଳିଆ ଛୁଆ ରେଲ୍ ୱେ ପ୍ଲାଟଫର୍ମ ରୁ ।ଘରକୁ ସେ ନେଇ ଆସିଲା ।ଆଗରୁ ଛୁଆମାନେ ଭିକମାଗି ଚଳୁଥିଲେ ହେଲେ ରହିମ୍ ଚାଚା ସେମାନଙ୍କ ଭିକମଗା ବନ୍ଦ କରିଦେଲା ।ଚୋରୀ କରି ନିଜର ପେଟ ପୋଷିଲା ଆଉ ଚାରୋଟି ଛୁଆଙ୍କର ବି ।ତା ସହ ସମସ୍ତଙ୍କୁ କିଛି କିଛି ପାଠ ପଢେଇଲା ମଧ୍ୟ ।

ଚାରୋଟି ଛୁଆ ଦିନେ ବଡ ହୋଇ ଜଣେ ପରିବା ବିକିଲା,ଜଣେ ଚାଳିଆ ହୋଟେଲ୍ ଟେ କଲା ,ଜଣେ ଟେଲର୍ ଦୋକାନ୍ କଲା ଆଉ ଜଣେ ଛୋଟ କିରାଣୀ ଟେ ହେଲା ।ରହିମ୍ ଚାଚା ସମସ୍ତଙ୍କୁ ମୁକ୍ତ କରିଦେଲା ।କହିଲା ..ଯାଅ ,ନିଜ ଜୀବନକୁ ଜିଇଁଯାଅ । କିନ୍ତୁ ଚାରିଜଣ ଯାକ ଚାହୁଁ ଥିଲେ ରହିମ୍ ଚାଚାର ଉପକାର ଶୁଝିଦେବାକୁ ।
ସମସ୍ତଙ୍କ ମନ କଥା ଜାଣି ରହିମ୍ ଚାଚା ସେଦିନ ଦ୍ରୋଣାଚାର୍ଯ୍ୟ ପାଲଟି ଗଲା ।କହିଲା ..ମୋ ଉପକାର ଶୁଝିବାକୁ ହେଲେ ଆଉ ଚାରୋଟି ପେଟ ପୋଷିବାକୁ ପଡିବ ତୁମକୁ ।
ରହିମ୍ ଚାଚାର ପଛପଟେ ଠିଆ ହୋଇଥିଲେ ଆଉ ଚାରୋଟି ଛୋଟ ଛୋଟ ଅନାଥ ଛୁଆ ।ଆଖିରେ ସେମାନଙ୍କର ହତାଶ୍ ଭାବ ।
ରହିମ୍ ଚାଚାର ଗମ୍ଭୀର ନିର୍ଦ୍ଧେଶ୍ ଥିଲା ..ଏ ପିଲା ମାନଙ୍କର ରହିବା ,ଖାଇବା ଆଉ ପାଠ ପଢିବା ଦାୟିତ୍ୱ ତୁମର ।ଏବେ ମୁଁ ପାରୁନି ଆଉ..ବୁଢା ହେଲିଣି ।

ରହିମ୍ ଚାଚାର କଥା କାଟିବାକୁ କାହାର ଜୁ ନ ଥିଲା ।ନିଜର ଘର ସଂସାର ଚଳାଇ ମଧ୍ୟ କିଛି କିଛି ପଇସା ପିଲା ମାନଙ୍କ ପାଖକୁ ପଠେଇଲେ ସେମାନେ ।ତଥାପି ନିଅଣ୍ଟ ହେଲା ।କାରଣ ଏମାନେ ଛୋଟମୋଟ କାମ କରୁଥିଲେ ।
ତେଣୁ ସେମାନେ ବି ଚୋରୀ କରିବା ଆରମ୍ଭ କଲେ ।ପରିବା ବିକାଳୀ ଟିକେ ଚଢା ଦରରେ ପରିବା ବିକିଲା..ଟେଲର୍ ବାଲା ବି କାୟଦାରେ ଟିକେ ବେଶୀ ସିଲେଇ ଖର୍ଚ୍ଚ ନେଲା..ହୋଟେଲ୍ ବାଲା ତା ମିଲ୍ ର ରେଟ୍ ଦୁଇଟଙ୍କା ଅଧିକ କରି ଦେଲା..କିରାଣି ଟି ଟେବୁଲ୍ ତଳେ ଲୋକ ମାନଙ୍କ ଠାରୁ ଦଶ କୋଡିଏ ଲାଞ୍ଚ ଅଧିକ ନେଲା ।
ନିଜର ପ୍ରାପ୍ୟ ଠାରୁ ଅଧିକ ପଇସା ନେବା କଣ ଚୋରୀ ନୁହେଁ କି??
ଏ ଚୋରୀ କରିବା ପଛରେ ବି ଗୋଟେ ଉଦ୍ଧେଶ୍ୟ ଥିଲା ।ଉଦ୍ଧେଶ୍ୟ ଏଇଆ ଯେ ପିଲାମାନଙ୍କୁ ଭଲ ସ୍କୁଲ୍ ରେ ଟିକେ ପଢେଇଲେ ସେମାନେ ଟିକେ ଭଲ ରୋଜଗାର କରିବେ ଆଉ ଆଗାମୀ ପଢି ଟା ଚୋରି ପଇସା ରେ ନୁହେଁ ବରଂ ସତ୍ ଧନରେ ମଣିଷ ହେବେ ।

ଏବେ ସେ ଚାରୋଟି ପିଲା ଭଲ ସ୍କୁଲ୍ ରେ ପଢୁଛନ୍ତି ।ପାଣ୍ଡୁ ତା ଭିତରୁ ଗୋଟିଏ ।
ରହିମ୍ ଚାଚାର ଦେହ ଖୁବ୍ ଖରାପ ।ଚାରି ଜଣଙ୍କ ଭିତରୁ କେହି ବି ଠିକ୍ ସମୟରେ ପହଞ୍ଚି ପରି ନାହାଁନ୍ତି ।ରହିମ୍ ଚାଚା ପାଖରେ ଯାହା ପଇସା ଥିଲା ତାକୁ ଡାକ୍ତର ଦେଖାଇବା ଆଉ ଔଷଧ କିଣିବାରେ ସରିଯାଇଥିଲା ।ଭୋକରେ ଆଉଟୁ ପାଉଟୁ ହେଉଥିବା ଚାଚା ଲାଗି ପାଣ୍ଡୁ ହିଁ ପ୍ରଥମ ଥର ଲାଗି ଚୋରି କଲା ।
ଏବେ ଚାରିଜଣ ଯାକ ନିଜକୁଦୋଷୀ ଭାବୁଥିଲେ …କାରଣ ସମସ୍ତେ ଭାବୁଥିଲେ ଚୋର ଧନରେ ମଣିଷ ବୋଧେ ଚୋର ହିଁ ହୁଏ ।ନ ହେଲେ ପାଣ୍ଡୁ ହଠାତ୍ ଚୋରି କଲା କେମିତି??
ପେଟର ଭୋକ ମଣିଷକୁ ଚୋର କରେ ନା ଚୋରି ଧନ ମଣିଷକୁ ଚୋର ସଜାଏ??ଉତ୍ତର କାହାକୁ ଜଣା ନ ଥିଲା ।ତଥାପି ସମସ୍ତେ ନିଜକୁ ଦୋଷୀସଜାଇ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ଥିଲେ ।ପ୍ରତିବଦଳରେ ସେମାନେ ପାଣ୍ଡୁର ମୁକ୍ତି ହିଁ ଚାହୁଁଥିଲେ ।

ଇନସ୍ପେକ୍ଟର ବାବୁ ତାଙ୍କ କଥାଶୁଣିଲା ପରେ ତାଙ୍କ ମୁଣ୍ଡ ଗୋଲ୍ ଗୋଲ୍ ହୋଇ ବୁଲୁଥିଲା ।ସେତେବେଳେ ଥାନାର ଦରଜା ପାଖରେ ଆଉ ଜଣେ କିଏ ଠିଆ ହୋଇଥିଲେ ।
ଆପଣ ବି କଣ ପାଣ୍ଡୁ ପାଇଁ ଆସିଛନ୍ତି??ଇନସ୍ପେକ୍ଟର ଅତରଛିଆ ପଚାରି ପକେଇଲେ..
ହଁ ,ସାର୍…ମୁଁ ପାଣ୍ଡୁର ଶିକ୍ଷକ ।ସେ ଜଣେମେଧାବୀ ଛାତ୍ର ।ତାକୁ ଛାଡି ଦିଅନ୍ତୁ ସାର୍ ..
ଏତେ ସହଜରେ ଖାଲିଟାରେ କଣ ଛାଡିଦେବି ତାକୁ??ଇନସ୍ପେକ୍ଟର ଙ୍କ ଗଳା ଟିକେ ଉଚ୍ଚା ଥିଲା ।
ଚାରି ଜଣ ଯାକ ନିଜ ପକେଟ୍ ଅଣ୍ଡାଳି କିଛି କିଛି ପଇସା ଟେବୁଲ୍ ଉପରେ ଥୋଇଲେ ।ଥାନାବାବୁ ସବୁ ଗଣିଲା ପରେ କହିଲେ ମାତ୍ର ତିନିହଜାର ପାଞ୍ଚଶହ ସତେଇଶ୍ ??ରାଉଣ୍ଡ ଫିଗର୍ ବି ହେଲାନି??ଥାନା ବାବୁଙ୍କ ନଜର ଶିକ୍ଷକଙ୍କ ପକେଟ୍ ଆଡକୁ ଗଲା ।

ଶିକ୍ଷକ ଜଣଙ୍କ କହିଲେ..ସରି ସାର୍..ମୁଁ କିଛି ଦେଇ ପାରିବିନି ।ଲାଞ୍ଚ ନେବା ଆଉ ଦେବା ଉଭୟ ଚୋରି ବୋଲି ମୁଁପାଣ୍ଡୁକୁ ପଢାଉଛି ।
ପାଣ୍ଡୁ ହାଜତ୍ ଭିତରୁ ଚିଲ୍ଲେଇଲା..ହେ …ଅଙ୍କଲ୍,ତିନି ହଜାର ପାଞ୍ଚଶହ ସତେଇଶ୍ ଟଙ୍କା ଆମ ଲାଗି ବହୁତ କିଛି ।ଚାଚାର ହାଇ ଡାଏବେଟିସ୍ ବାହାରିଛି ।ପଇସା ସେଠି ଦରକାର ଅଙ୍କଲ୍ ।ମୋ କଥା ଚିନ୍ତା କରନି ।ମୁଁ ଏଠି ମାସେ ରହିଲେ ବି କିଛି ପରୱା ନାହିଁ…

ଇନ୍ସପେକ୍ଟର୍ ଙ୍କ ଆଖି ଲାଲ୍ ହୋଇଗଲା…ହେ ଚୁପ୍ କର୍ କହି ପାଣ୍ଡୁ ଆଡକୁ ବଡ ବଡ ଆଖି କରି ଅନେଇଲେ ।ପାଣ୍ଡୁ ଟିକେ ସଙ୍କୁଚିତ ହୋଇଗଲା ।
ଥାନା ବାବୁ ଥକି ଯାଇଥିଲେ ବୋଧେ ।ଟିକେ ହାଇ ମାରିଲେ ..ଗ୍ଲାସେ ପାଣି ପିଇ ଚାରିଜଣଙ୍କୁ ଅନେଇଲେ ।ପଇସା ଗୁଡିକୁ ସାଇଜ୍ କରି ଧରିଲେ ଆଉ ନିଜ ପକେଟ୍ ଅଣ୍ଡାଳିଲେ ।ପକେଟ୍ ରୁ ପାଞ୍ଚ ହଜାର କାଢି ଆଗ ପଇସା ସହ ମିଶାଇ ଚାରିଜଣଙ୍କୁ ଫେରାଇ ଦେଇ କହିଲେ …ଯାଅ ,ରହିମ୍ ଚାଚାକୁ ଆଗ ଭଲ କର ।ପାଣ୍ଡୁ କୁ ମୁଁ ନେଇ ଛାଡି ଦେଇ ଆସିବି ଆଉ ରହିମ୍ ଚାଚା କୁ ଥରେ ଦେଖି ଆସିବି ।
ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଅନେଇ ଥିଲେ ।ଇନ୍ସପେକ୍ଟର ବାବୁ ହସି ହସି କହିଲେ… ଏଇଟା ବି ଚୋରି ପଇସା………ହେଲେ ମୋର ବିଶ୍ୱାସ ଏ ଚୋରି ପଇସାରେ ନିଶ୍ଚୟ ଗୋଟିଏ ସତ୍ ପିଢିର ଉଦ୍ଭାବନ ହେବ ।ହା ହା…ଆଜି ମୁଁ ଖୁବ୍ ଖୁସି…..।ଆଜିଠାରୁ ତୁମ ସମସ୍ତଙ୍କ ସହ ମୁଁ ବି ସାମିଲ୍ ।
ହାଜତ୍ ଭିତରେ ପାଣ୍ଡୁର ମୁହଁ ଝଲସି ଉଠିଲା ।ସେ ପୁଣି ମୁହଁ ଟାକୁ ଚୁଚୁନ୍ଦ୍ରା ଭଳି କରି ଚିକ୍ ଚିକ୍ ଆବାଜ୍ କାଢୁଥିଲା ।ସେଠି ମୂଷା ଆଉ ନ ଥିଲା… ନିଜେ ବୋଧ୍ ହୁଏ ଗୋଟିଏ ସେ ଦିଲଖୁସ୍ ମୂଷା ପାଲଟି ଯାଇଥିଲା ।

LEAVE A REPLY

Please enter your comment!
Please enter your name here