ଟ୍ରିଂ…ଟ୍ରିଂ…ଟ୍ରିଂ…ଠିକ୍ ଦିନ ତିନିଟାରେ ବାଜେ ।ଚିଠିବାଲା ଚିଠି ଆଣେ ।ଯିଏ ଯୁଆଡେ ଥାଆନ୍ତି ସେତେବେଳେ ସବୁ ଘରଦାଣ୍ଡକୁ ବାହାରି ଆସନ୍ତି ।ସମସ୍ତଙ୍କ ମୁହଁରେ ଗୋଟିଏ ଆଗ୍ରହ ।କିଛି ଲୋକଙ୍କୁ ଚିଠି ମିଳେ, ଆଉ ନ ପାଇଥିବା ଲୋକ ଚିଠି ବାଲାକୁ ପଚାରନ୍ତି …ଆଜି କଣ ଚିଠି ଆସିନି ମୋର?
ସେତେବେଳେ ତ ମୋବାଇଲ୍ ନ ଥିଲା ..ସବୁ ଖବର ଅଖବର ଲାଗି ଚିଠିବାଲାକୁ ଅପେକ୍ଷା କରୁ ।ଚିଠି ଭିତରେ ହିଁ ନିଃଶ୍ୱାସ ନେଉଥାଏ ଦୁନିଆ ଯାକର ଖୁସି,ବିରହ,ଆନନ୍ଦ,ଆଉ ମୃତ୍ୟୁ ଖବର ବି ।
ଛୋଟ ହୋଇଥିଲି । ଠିକ୍ ଭାବରେ ଅକ୍ଷର ବି ଜାଣି ନ ଥିଲି ବୋଧେ ତଥାପି ମୁଁ ବି ଅପେକ୍ଷା କରିଥାଏ ସେଇ ଚିଠିବାଲାକୁ ଆମ୍ବୁଲ ଚାଟିଚାଟି ଦିନ ଦ୍ୱିପହରରେ ଚଉଁରା ମୂଳରେ ।ସେ ମୋ ହାତରେ ଖଣ୍ଡେ ଚିଠି ଦେଇଦିଏ ଆଉ ମୋ ସହ ଟିକେ କଥା ହୁଏ …।ମୋ ହାତରେ ନୂଆ ଚୂଡି ଦେଖି କୁହେ ..ଆରେ କି ସୁନ୍ଦର ଦିଶୁଛି ତୋ ହାତ??
ସମସ୍ତେ କୁହନ୍ତି ମୋ ହାତ ଅଣ୍ଡିଆ ହାତ, ଚୁଡି ମୋଟେ ଭଲ ଲାଗେନି କିନ୍ତୁ ଚିଠିବାଲା ଜଣେ ହିଁ ଲୋକ ଯିଏ ମୋ ଚୁଡି ପିନ୍ଧା ହାତ ଦେଖି କୁହେ …ବଢିଆ ହୋଇଛି ….।
ବାସ୍…ସେତିକିରେ ମୁଁ ଖୁସ୍ ।ଡେଇଁ ଡେଇଁ ଚିଠି ନେଇ ଘର ଭିତରକୁ ଚାଲିଯାଏ …।
ମୁଁ ଯେତେବେଳେ ବି ନୂଆ ଚୁଡି ପିନ୍ଧେ ଚିଠିବାଲା ଠୁ ପ୍ରଶଂସା ଶୁଣିବାକୁ ଅପେକ୍ଷା କରିଥାଏ ।

ଚିଠି ବାଲା ପାଖରେ ସବୁ ଖବର ଥାଏ ।କେଉଁଠି ଯୁଦ୍ଧ ଚାଲିଛି..କେଉଁଠି ଭୋଟ(ଭୋଟ୍ ବୋଲି ମୁଁ ଭାବେ ଯେମିତି ସାଇକେଲ୍ ରେ ପମ୍ପ ଦିଆଯାଏ,ସେମିତି ଭୋଟ୍ ଦିଆଯାଏ …ସେଥିଲାଗି ବୋଉ ଭୋଟ୍ ଦେବାକୁ ଗଲେ ମୁଁ ରାଗିଯାଇ କୁହେ ଏ ଶାଢୀ ପିନ୍ଧି କେମିତି ଭୋଟ୍ ଦେବୁ ଯେ??) ଗଣନା ହେଉଛି,କାହା ଘର ଝିଅ କାହା ସହ ପଳେଇଲା,କାହା ବୋହୂ ଶାଶୁଶଶୁରଙ୍କୁ ମାରୁଛି,କାହାକୁ ବଡ ରୋଗ ହୋଇଛି ,ଫିଲ୍ମ ହଲ୍ ରେ କେଉଁ ଫିଲ୍ମ ପଡିଛି ଇତ୍ୟାଦି ।
ମୋଟାମୋଟି କହିବାକୁ କଲେ ଚିଠିବାଲା ହିଁ ଥିଲା ସେତେବେଳର ଇଣ୍ଟରନେଟ୍ ।

ଚିଠିବାଲା ପ୍ରତି ମୋର ଗୋଟେ ଅହେତୁକ ଆକର୍ଷଣ ଥିଲା ।ବେଳେବେଳେ ମୁଁ ତା ସାଇକେଲ୍ ଆଗରେ ବସି ଛକଯାଏଁ ଯାଉଥିଲି ଆଉ ସେଇଠୁ ଘରକୁ ଫେରି ଆସୁଥିଲି ଡେଇଁ ଡେଇଁ ।ମୋ ଲାଗି ସେ ବେଳେ ବେଳେ ପିଜୁଳି,ଜାମୁକୋଳି ଝୁଲାରେ ପୁରେଇ ଆଣୁଥିଲା ଯଦିଓ ଏସବୁ ଆମ ବାଡିରେ ଥିଲା ।ଅନେକ ଥର ତା ଘରକୁ ମୋତେ ଡାକିଛି ହେଲେ ବୋଉ ଛାଡେନି ।ମୁଁ ରାଗିଯାଏ ।
ଭାବେ ଏଇ ବୋଉଗୁଡା ସବୁବେଳେ ନାଇଁ ନାଇଁ କହିବାକୁ କଣ ଭଲ ପାଆନ୍ତି??ଏଠିକୁ ଯିବୁନି..ସେଠିକୁ ଯିବୁନି..ଏଇଆ ଖାଇବୁନି …ସେଇଆ ପିନ୍ଧିବୁନି ।ଭାବେ ବୋଉଟାକୁ ବଦଳେଇ ଦେଇ ଆଉ ଗୋଟେ ବାପା ଆଣିଲେ ହୁଅନ୍ତାନି ??ଦୁଇଟା ବାପାଙ୍କୁ ସମ୍ଭାଳି ହେବ ହେଲେ ଗୋଟିଏ ବୋଉକୁ ନୁହେଁ ।ବୋଉର କଡା ନଜର ବି ବେଳେ ବେଳେ ଚିଠିବାଲା ଉପରେ ଥାଏ ,ମୁଁ ଜାଣି ପାରେ ।
ସିଲଟ ଖଡିରେ “ଅ”ମଣ୍ଡଉ ମଣ୍ଡଉ ବାର ବାର୍ ଝରକା ସେପଟକୁ ଅନାଏ।ଯଦିଓ ଠିକ୍ ଭାବରେ ଜାଣେ ଯେ ଦିନ ତିନିଟାରେ ହିଁ ଟ୍ରିଂ ଟ୍ରିଂ ବାଜିବ ।ତଥାପି ଭାବୁଥାଏ ଦିନରେ ଦୁଇଥର ଚିଠି ବାଣ୍ଟିଲେ ଅସୁବିଧା କଣ??
ସାଇ ପଡିଶା ମୋର ହାବ ଭାବ ଦେଖି କୁହନ୍ତି ..କିରେ ତୋ ଶଶୁର ପୁଅକୁ ଅପେକ୍ଷା କରିଛୁ କିରେ??ତାଙ୍କ କଥା ମୋ ବୁଝିବାର ବାହାରେ …କାରଣ ଶଶୁର ବୋଲି ଲୋକଟାକୁ ମୁଁ ଜାଣି ନ ଥିଲି ଆଉ ତା ପୁଅକୁ କେମିତି ଜାଣିବି??

ମୁଁ ସେମାନଙ୍କ କଥା ଶୁଣି ନ ଶୁଣିଲା ପରି ରୁହେ କାରଣ ଅନେକ ଥର ଦେଖିଛି ଏଇ ସ୍ତ୍ରୀ ଲୋକଗୁଡା କଣ କଥା ସବୁ ହୋଇ ଫିସ୍ ଫିସ୍ ହସନ୍ତି ଆଉ ବୋଉ କୁହେ ଛୁଆଟା ଅଛି ପରା ….ଦେଖିକି କଥା ହୁଅ ।
ଦୁର୍ଗାପୂଜା ସମୟ ।ଚିଠିବାଲା ଆଉ ଆସିଲାନି ।ବୋଉ କହିଲା ସେ ଛୁଟିରେ ଯାଇଛି ..ଗାଁ କୁ ଯାଇଛି ।ମୋତେ ମୋଟେ ଭଲ ଲାଗୁ ନ ଥିଲା ।ବୋଉ ମୋତେ ବାରବାର ବୁଝାଉଥିଲା ଯେ ତାର ତୋ ଭଳି ଗୋଟେ କୁନିଝିଅ ଅଛି ଗାଁ ରେ ।ସେ କଣ ଆଉ ଯିବନି ତା ଝିଅ ପାଖକୁ ??ମୁଁ ଯଥା କଥାରେ ବୁଝିଗଲି ବୋଉ କଥାକୁ ।
ଘରେ ଗହଳଚହଳ ।ସମସ୍ତଙ୍କର ନୂଆ ଜାମା ।ମୋର ବି ନୂଆ ଜାମା,ନେଲପୋଲିସ୍,ଟିକିଲି ,ରିବନ ଫିତା,ଅଳତା ସବୁ ଆସିଥିଲା ।ଏଇ ସବୁ ଦେଖିଲେ ମୁଁ ସବୁ ଭୂଲିଯାଏ ।ନିଜକୁ ସଜାଇବାର ଇଛା ମୋର ପିଲାବେଳରୁ ଥିଲା ।ନୂଆ ଜାମା ପିନ୍ଧି ସଜେଇ ହୋଇ ବାହାରି ପଡିଲି ଠାକୁର ଦେଖିବାକୁ ।ମୋ ମୁହଁରେ ମୁଁ ନୂଆବୋହୂ ପରି ସଜେଇ ହେଇଥିଲି ବାରଟି ବିଭିନ୍ନ ରଙ୍ଗର ଟିକିଲି ଲଗେଇ ।ଅପା ଆସି ମୋ ମୁହଁ ଦେଖି ଖୁନ୍ଦଟେ ମାରିଲା ଆଉ ରାମ୍ପୁଡି ପକେଇ ଟିକିଲି ଗୁଡା କାଢି ଦେଇ କହିଲା ପୁରା ରାକ୍ଷସୀ ଦେଖା ଯାଉଛୁ ।ଶେଷରେ ମୋ ମୁହଁ ନାଲି ପଡି ଯାଇଥିଲା ଆଉ ମଥାରେ ସମୁଦାୟ ଗୋଟିଏ ହିଁ ଟିକିଲି ରହିଥିଲା ।

ଭିଡରେ ଠେଲା ପେଲା ହୋଇ ଠାକୁର ଦେଖିବାକୁ ଚେଷ୍ଟା କଲା ବେଳେ ମୋ ନଜର କିନ୍ତୁ ଝିଲିମିଲି ଚାଟ୍ ଉପରେ ଥିଲା ।ଦେବୀ ଦୁର୍ଗାଙ୍କ ଠାରୁ ଝିଲିମିଲି ଚାଟ୍ ର ବାମ୍ଫ ମୋତେ ବେଶୀ ଆକର୍ଷଣ କରୁଥିଲା ।

ହଠାତ୍ ଘୋ ଘା ଆବାଜ୍ ଶୁଣା ଗଲା ।ମୋତେ ବାପା ଶୂନ୍ୟରେ ଟେକି ଆଣିଲେ ।ବୋଉ ଆଉ ସମସ୍ତଙ୍କୁ ଘଉଡାଇ ଘରକୁ ନେଇ ଆସିଲେ ।ଶୁଣିଲି ସେଇଠି ମରାପିଟା ଆରମ୍ଭ ହୋଇ ଯାଇଥିଲା ।ମୋତେ କିଛି ଲାଗିଲାନି କାରଣ ଭଦ୍ରକରେ ସବୁବେଳେ ହଣାକଟା ର ଆଭାସ ମିଳେ ।ସେଗୁଡା ମୁଁ କିଛି ବୁଝିପାରେନି ।ମୋର ଦୁଃଖ ତ ରହିଯାଇଥିଲା ଯେ ମୁଁ ଝିଲିମିଲି ଚାଟ୍ ଖାଇପାରିଲିନି ବୋଲି ।
ଠାକୁର ଦେଖା ବନ୍ଦ ହେଲା । ଲୋକେ କଣ ସବୁ କଥା ହେଉଥିଲେ ଯେ ଗଣ୍ଡଗୋଳରେ ଚାରିଜଣ। ଲୋକ ମରିଯାଇଛନ୍ତି ।
ବୋଉ ଆଖି ପୋଛୁ ପୋଛୁ ମୋତେ କହିଲା ଚିଠିବାଲା ଆଉ ଆସିବନି …।ମୁଁ କହିଲି ,ହଁ ତ…ସେ ଗାଁକୁ ଯାଇଛି କେମିତି ଆସିବ ଯେ ??ବୋଉ ମୋତେ ଜାବୁଡି ଧରି କହିଲା… ନା ରେ… ସେ ମରିଯାଇଛି …ବୋଉ କାନ୍ଦୁଥିଲା ।ବୋଉର କାନ୍ଦ ଦେଖି ମୁଁ ଆଉ କିଛି ପଚାରିଲିନି ।
ମନେ ମନେ ଭାବୁଥିଲି ଚିଠିବାଲା ଛୁଟି ନେଇଛି …ଗାଁକୁ ଯାଇଛି …ଭଳି ..ମରି ବି ଯାଇଛି ।ଛୁଟି ଶେଷ ହେଲେ ସେ ନିଶ୍ଚୟ ଆସିବ ।
ସେତେବେଳ ଯାଏଁ ମୁଁ ଜାଣି ନ ଥିଲି ମଣିଷର ମରିବା କଣ??
ଦଶଦିନ ହୋଇଗଲା ଚିଠିବାଲା ଆସିଲାନି ।ମୁଁ କିନ୍ତୁ ଅପେକ୍ଷା କରୁଥିଲି ରୋଜ୍… ସେଇ ଦିନ ତିନିଟା ବେଳେ ତାର ଟ୍ରିଂ ଟ୍ରିଂ ଆବାଜ୍ କୁ । ମୋ ହାତରେ ନୂଆ ଚୁଡିଥିଲା ତାକୁ ଦେଖାଇବାକୁ….

ମାସେ ପରେ ଦିନେ ହଠାତ୍ ଟ୍ରିଂ ଟ୍ରିଂ ଶୁଭିଲା ।ମୁଁ ଦୌଡିଗଲି ରାସ୍ତାକୁ ।ଚିଠିବାଲା ପରି ସେ ବି ଦେଖା ଯାଉଥିଲା ।ମୋ ହାତକୁ ଚିଠିଟିଏ ବଢେଇ ଦେଲା. ।ମୁଁ ଖୁସି ହୋଇଗଲି.. ନୂଆ ଚୂଡି ପିନ୍ଧିଥିବା ହାତ ଦୁଇଟି ତା ଆଡକୁ ବଢେଇ ଦେଲି ।ସେ ନ ଦେଖି ଚାଲି ଯିବାକୁ ବାହାରିଗଲା ।ମୁଁ କହିଲି ..ମୁଁ ନୂଆ ଚୁଡି ପିନ୍ଧିଛି !!!ସେ ମୋତେ ଟିକେ ଆଶ୍ଚର୍ଯ୍ୟ ହୋଇ ଅନେଇଲା ।ତା ପରେ ସାମ୍ନା ଘରକୁ ଗଲା ଚିଠି ଦେବାକୁ ।ମୁଁ ତା ପଛେ ପଛେ ଦୌଡି ଦୌଡି ଗଲି…ଚିଠିବାଲା ଚିଠିବାଲା ଡାକିଲି ।ସେ ମୋତେ ପଛକୁଫେରି ଅନେଇଲା ।ମୁଁ ମୋ ହାତ ବଢେଇ ଦେଲି ।ସେ କିଛି ବୁଝି ପାରିଲାନି ।ଟିକେ ହସି ଦେଲା ମୋତେ ଦେଖି ।ତା ପରେ ସାଇ କେଲ୍ ବୁଲେଇ ପଳେଇ ଗଲା …ମୁଁ ତା ପଛେ ପଛେ ଚିଠି ବାଲା…ଏ ଚିଠିବାଲା …କହି ଦୌଡି ଦୌଡି ଗଲି ଛକ ଯାଏଁ ।ସେ ଫେରି ଥରେ ବି ଅନେଇଲାନି ।ମୁଁ ହତାଶ୍ ଅନୁଭବ କଲି ।ସେଇଠି ଠିଆ ହୋଇଗଲି ଚୁପଚାପ୍ ।କେତେ ସମୟ ଠିଆ ହୋଇଛି ଜାଣେନି ।ହେଲେ ପଛରୁ ବୋଉ ମୋତେ ଡାକି ଡାକି ଅସ୍ତବ୍ୟସ୍ତ ହୋଇ ଆସୁଥିଲା ।ମୁଁ ବୋଉ କୁ ଟିକେ ଅନେଇଲି ।ମୋ ମୁହଁ ଗମ୍ଭୀର ଥିଲା ।ବୋଉ ମୋତେ ତା କୋଳରେ ଜାବୁଡି ଧରିନେଲା ।
ମୁଁ ଭାଁ କରି କାନ୍ଦି ଉଠିଲି …।କାନ୍ଦୁ କାନ୍ଦୁ ବୋଉକୁ ପଚାରିଲି ବୋଉ…ସତରେ କଣ ଚିଠିବାଲା ମରି ଯାଇଛି??ବୋଉ ଲୁହ ପୋଛୁ ପୋଛୁ ହଁ ..କହିଲା ।
ମୁଁ କିନ୍ତୁ ଏ ମରିବାଟା କଣ ଜାଣି ନ ଥିଲି …ଖାଲି ଏତିକି ବୁଝୁଥିଲି ଯେ ମୋ ହାତରେ ଚୁଡି ଖୁବ୍ ସୁନ୍ଦର ହୋଇଛି ବୋଲି କହିବାକୁ ଆଉ କେହି ନାହିଁ ।

LEAVE A REPLY

Please enter your comment!
Please enter your name here