ବାହାରେ ଢୋ ଢୋ ବର୍ଷା ,ରହି ରହି ବଜ୍ରପାତ ,ଏକ ଶୀତୁଆ ଶୀତୁଆ ରାତି,ଦେହସାରା ଦିନ ଯାକର କର୍ମମୟ ଦରଜର ସ୍ୱାକ୍ଷର ।ଢୁଳେଇ ଆସୁଛି ଆଖିପତା ।ନିଦେଇ ଆସୁଛି ଯେମିତି ଏ ଅନ୍ଧାର କାଳ ରାତ୍ରୀ ।
ବିଜୁଳି ନାହିଁ ।ଅନ୍ଧାର ଭିତରେ ଜଳୁଥିବା ଲଣ୍ଠନଟିକୁ କମେଇ ଦେଇ ଦେହ ଉପରକୁ ହାଲକା କମଳଟି ଟାଣି ଆଣିଲେ ଡାକ୍ତର ବାବୁ ।କମଳ ଭିତରର ଏଇ ଉଷୁମ ଟିକକ ଯେମିତି ଆଣିଦିଏ ମା ର ମାତୃତ୍ୱ ।ଭୂଲି ହୋଇଯାଏ ସବୁ କିଛି ..ଦେହ ମନର କଷ୍ଟ ।
କମଳ ଭିତରେ ବି ଆଉ ଗୋଟେ କାହାର ଉଷୁମ ପରଶ ।ଏ ପରଶ ଆଉ କାହାର ନୁହେଁ ,ନିଜ ପ୍ରେମିକା ବିଛନ୍ଦା ପାଣିଗ୍ରାହିର ।ଏଇ ପରଶ ଟିକକ ଉନ୍ମାଦନା ଆଣିଦିଏ ,ସକାଳ ପାଇଁ ଶକ୍ତି ଯୋଗାଏ ସାମ୍ନାରେ ଏକୁଟିଆ ରାସ୍ତାରେ ପଥିକଟିଏ ଲାଗେ ।ଏଇ ପରଶ କଳ୍ପର ହେଉ ପଛେ ହେଲେ ଡାକ୍ତର ବାବୁ ଲୋଡନ୍ତି ତାକୁ ସବୁ ଦିନ ।
ମୋବାଇଲ୍ ରେ ଲାଇଟ୍ ଦପ୍ ଦପ୍ ।ବ୍ୟାଟେରୀ ଆଉ ଗୋଟିଏ ଅଛି ।ତଥାପି ରିସିଭ୍ କଲେ ଡାକ୍ତର ବାବୁ ।ସେପଟୁ ବିଛନ୍ଦା ପାଣିଗ୍ରାହିର ଓଠର ଶବ୍ଦ ।ଏ ଶବ୍ଦ ସହ ସେ ଚିର ପରିଚିତ ।ଠିକ୍ ଜାଣି ହେଉଛି ।ଏଇ ଶବ୍ଦ ସେ ସବୁ ରାତିରେ ଶୁଣନ୍ତି ଆଉ ତା ପରେ ଶୋଇ ଯାଆନ୍ତି ନିଘୋଡ ନିଦରେ ।
ଆଜି ବି ସେଇଆ ହେବାକୁ ଯାଉଥିଲା ବେଳେ ବାହାରେ ବି ଶୁଭିଲା ଗୋଟେ ଖଟ୍ ଖଟ୍ ଶବ୍ଦ ।କାନ ଡେରିଲେ ଡାକ୍ତରବାବୁ ।ପୁଣି ଥରେ ସେଇ ଖଟ୍ ଖଟ୍ ।ଏତେ ରାତିରେ ଏ ବର୍ଷା ଭିତରେ କିଏ??

ମନରେ ଗୋଟେ ଛନକା ବି ଆସିଲା ।ଏମିତି ରାତିରେ ଏଇ ମାଲକାନଗିରିରେ ନକ୍ସଲ ମାନେ ବି ଖେଳନ୍ତି ରକ୍ତର ଯୁଦ୍ଧ ।ଛାତିର ସ୍ପନ୍ଦନ ବଢି ଚାଲିଲା ।ନିଜକୁ ଯଥା ସମ୍ଭବ ଆଢୁଆଳରେ ରଖି ପଚାରିଲେ କିଏ??ଏତେ ରାତିରେ କଣ ଦରକାର ।
ଜୋର୍ ରେ ପୁଣି ଖଟ ଖଟ ।ଟିକେ ଖୋଲ ବାବୁ ।ଭାରୀ ଅସୁବିଧାରେ ମୁଁଇଁ ଅଛେ ।
କଣ୍ଠରୁ କିଛି ଆତୁରତା ବାରି ହେଉଥିଲା ।ତଥାପି…ଡାକ୍ତର ଙ୍କ ହୃଦୟ ସନ୍ଦେହ ଘେରରେ ।
ସାମ୍ନାରେ ଝୁଲୁଛି ସ୍ଟେଥୋସ୍କୋପ୍ ।ଯେମିତି ସୂଚେଇ ଦେଉଛି ଡାକ୍ତରଙ୍କର କର୍ତ୍ତବ୍ୟ ।

କବାଟ ଖୋଲିଲେ ଡାକ୍ତର ବାବୁ ।ସାମ୍ନାରେ ଓଦାସର ସର ମଣିଷଟେ ।ଡାକ୍ତର ବାବୁଙ୍କ ଗୋଡକୁ ଧରିନେଲା ଲୋକଟି ।କହିଲା ..ଏବେ ତୁଇ ମୋର୍ ଭରସା ବାବୁ ।ମୋ ଇସ୍ତ୍ରୀ କୁ ବଞ୍ଚା ବାବୁ । ପିଲା ହେବାର୍ ଅଛେ ହେଲେ କଷ୍ଟ୍ ସହି ନେଇ ପାରିବାର୍ ।ମରିଯିବା ସେ ବାବୁ ।ତୁଇ ଚାହଁଲେ ବଞ୍ଚେଇ ପାରବୁ ।
ଲୋକଟି ମୁହଁରେ ଆତୁରତା ।

ଡାକ୍ତରବାବୁ ଦେଖିଲେ ବର୍ଷା କମିବାର ନାହିଁ।ମୁହଁ ପୋତି କିଛି ସମୟ ଭାବିଲେ । ତା ପରେ ରେନ କୋର୍ଟ ଟି ଗଳେଇ ବାହାରିଲେ,ସାଥୀରେ ନିଜର ଫାଷ୍ଟ ଏଡ୍ ବକ୍ସ ଟିକୁ ନେଇ ।ନିଜେ ସ୍କୁଟର୍ ଚଲଉଥିଲେ ,ପଛରେ ଥୁରୁଥୁରୁ ହୋଇ ବସିଥାଏ ଲୋକଟି ।ଆକାଶରେ ମଝିରେ ମଝିରେ ଘଡଘଡି ଚଡଚଡି ।ଛାତିରେ ଦାଲୁକା ପଶିଲେ ବି ଗାଡି ଆଗେଇ ଚାଲିଥାଏ ।ଅଳି କନ୍ଦି ରାସ୍ତା ..ଦୁଇପଟେ ଗଛର ସମ୍ଭାର..ଭୂତ ଭଳି ଯେମିତି ଜଗିଛନ୍ତି ଖାଁ ଖାଁ ଜନ ଶୂନ୍ୟ ରାସ୍ତାକୁ ।ରାସ୍ତା ଏତେ ଅଣ ଓସାର ଯେ ଚାରି ଚକିଆ ଗାଡିଟେ ଯିବାକୁ ବି କଷ୍ଟ ।

ଲୋକଟିର ଘରେ ପହଞ୍ଚିଲା ବେଳକୁ ଘର ଭିତରୁ ଓଃ ..ଆଃ …ର କରୁଣ ଶବ୍ଦ ।ଘର ଭିତରେ ବହଳେ ଅନ୍ଧାରରେ ଦୀପଟେ ଜଳୁଛି ।କାନ୍ଥ କଣକୁ ଜାକି ଜୁକି ବସିଛି ଆଠ ନଅ ବର୍ଷର ପୁଅଟେ ଗୋଟେ ଆତଙ୍କରେ ।ଗୋଟିଏ ବୁଢୀ ଲୋକ ମୁଣ୍ଡରେ ହାତ ଦେଇ ବସିଛି ସ୍ତ୍ରୀ ଲୋକଟି ପାଖରେ ।
ତଳେ କନ୍ଥା ଉପରେ ସ୍ତ୍ରୀ ଲୋକଟି ଯନ୍ତ୍ରଣାରେ ଲହୁ ଲୁହାଣ ।ପ୍ରଚୁର ରକ୍ତ ସ୍ରାବ ହୋଇ ସାରିଛି।ସମସ୍ତଙ୍କୁ ବାହାରକୁ ଯିବାକୁ କହି ସେ ତରତରରେ ପରୀକ୍ଷା କଲେ ଗର୍ଭବତୀ ନାରୀ ଟିକୁ ।ଉଫ୍..ଗର୍ଭ ରେ ପିଲାଟା ଉପରକୁ ଉଠିଯାଇଛି ଆଉ ପ୍ଲାସେଣ୍ଟା ତଳକୁ ରହିଛି ।ନର୍ମାଲ ଡେଲିଭରି ଖୁବ୍ ମୁସ୍କିଲ୍ ।ବ୍ଲଡ ପ୍ରେସର ପୁଣି ହାଇ ଅଛି ।ଦେହରେ ରକ୍ତ କମିଗଲାଣି ।ଡାକ୍ତର ବାବୁ ଗୋଟେ ଇଞେକ୍ସନ୍ ଦେଲେ ପେନ୍ କମାଇବାକୁ ।

ଉପାୟ ନାହିଁ ଆଉ ।ଯେମିତି ହେଲେ ବି ଡାକ୍ତର ଖାନା ନେବାକୁ ପଡିବ ।ନହେଲେ ଅବସ୍ଥା ଅସମ୍ଭାଳ ।ଡାକ୍ତର ବାବୁ ମଧ୍ୟ ଅସ୍ଥିର ।ପାଖରେ ସମୟ ଖୁବ୍ କମ୍ ।ପେସେଣ୍ଟ କୁ ରକ୍ତ ଦରକାର ।
ବାହାରକୁ ଆସି ଲୋକଟିକୁ କହିଲେ ଜଲଦି ବ୍ୟବସ୍ଥା କର ।ରୋଗୀକୁ ଡାକ୍ତର ଖାନା ନେବାକୁ ପଡିବ ଏଇ କ୍ଷଣେ ।
ଲୋକଟି ଅନ୍ୟମନସ୍କ ହୋଇ ଉଠିଲା ..ତା ପରେ ବାହାରିଗଲା ।ଡାକ୍ତରବାବୁ ଜାଣିଥିଲେ ରୋଗୀକୁ କେବଳ ଖଟିଆ ରେ ବୁହା ହୋଇ ନେଇ ଯାଇ ହେବ ..ରାସ୍ତା ଯାହା ଏଠି ତ ଗାଡିଟେ ଆସିବାକୁ ମୁସ୍କିଲ୍ ।
ଲୋକଟି ଫେରିଆସିଲା ..କହିଲା ବାବୁ ଏତେ ରାତିରେ କେହି ରାଜି ନେଇ ହେବର୍ ଆସବାକୁ ।ତା ଆଖିରେ ଗୋଟିଏ ଅସହାୟତା ।
ଏମିତି ଅସହାୟତା ଅନେକ ଥର ଦେଖିଛନ୍ତି ଡାକ୍ତରବାବୁ ରୋଗୀଙ୍କ ଆଖିରୁ ବି ।ଏଇ ଅସହାୟତା କେବଳ ସୂଚାଏ ଗୋଟିଏ ମୃତ୍ୟୁ ର ଭୟ କୁ …
ଲୋକଟି ର କାନ୍ଧରେ ହାତ ରଖି ଡାକ୍ତର ବାବୁ କହିଲେ …ମୁଁ ଅଛି ।ବ୍ୟସ୍ତ ହୁଅନା..

ସ୍ତ୍ରୀ ଲୋକଟିର କଷ୍ଟ ଟିକେ କମି ଯାଇଥିଲେ ବି ରକ୍ତ ସ୍ରାବ ପୂର୍ବ ପରିଥିଲା ।ତା ଆଖିରେ ବି ଆତଙ୍କ ।ଡାକ୍ତର ବାବୁ ତା ମଥାକୁ ଆଉଁସି ଦେଲେ…କହିଲେ ବ୍ୟସ୍ତ ହୁଅନି ,ମୁଁ ଅଛି ।ହେଲେ ତୁମକୁ ଟିକେ ଧେର୍ଯ୍ୟ ଧରିବାକୁ ପଡିବ ।ତୁମେ ଯେ ଭଲ ହୋଇ ଫେରିବ ସେତିକି ମୋ ଉପରେ ଭରସା ରଖ ।ଭରସା ତୁଟିଗଲେ ମୁଁ ବି ଅସହାୟ ହୋଇ ପଡିବି ।
ଡାକ୍ତର ବାବୁଙ୍କ କପାଳରେ ବି ଝାଳ ।ଅସଲରେ ସେ ରୋଗୀଟିର ଅବସ୍ଥା କୁ ନେଇ ଚିନ୍ତିତ ଥିଲେ ।ରୋଗୀଟିର ବ୍ଲଡ ଗ୍ରୁପ୍ …ଏ ବି ନେଗେଟିଭ୍ ବୋଲି ଜାଣିଲେ ପୂର୍ବ ପ୍ରେସକ୍ରିପସନ୍ ଦେଖି।ରେୟାର୍ ବ୍ଲଡ୍ ଗ୍ରୁପ୍ ।ତଥାପି ହୋପ୍ ଅଛି …
ଖଟିଆ ସଜ କରିସାରିଥିଲା ଲୋକଟି ।ଡାକ୍ତର ବାବୁ ଆଉ ସେ ଲୋକଟି ଦୁହେଁ ରୋଗୀକୁ ଉଠାଇ ଖଟିଆ ରେ ଶୁଆଇ ଦେଲେ ।ବର୍ଷା ଛାଡି ଯାଇଥିଲା ।ରାସ୍ତା କାଦୁଅ ପଚପଚ ।ଛୋଟ ପୁଅଟି ଚାଲିଛି ସାଥୀରେ ।ଆଗରେ ଦଶ କିଲୋମିଟରର ରାସ୍ତା ।
ଢେମା ଢେମା ଆଖିରେ ଲୁହ,ଦେହରେ ଗର୍ଭପାତର ଯନ୍ତ୍ରଣା,ଓଠରେ ଅସହାୟର ଚିତ୍କାର କରୁଥିବା ନାରୀଟି ଦେଖୁଥିଲା ଡାକ୍ତର ବାବୁଙ୍କୁ ….ଲାଗିଲା ସାମ୍ନାରେ ତାର ଇଶ୍ୱର ।

ଇସ୍ ଏ ହତଭାଗିନୀର ବୋଝ ବୋହିବାକୁ ଯେମିତି ଇଶ୍ୱର ଭିଡୁଛନ୍ତି ତାଙ୍କର ଅନଭ୍ୟସ୍ତ ଅଣ୍ଟା,ସଜାଡୁଛନ୍ତି ବେକର ମାଂସପେଶୀ ।ଆଖିରେ ତାଙ୍କର ପାହାଡ ବୋହିବାର ଶକ୍ତି ।ମଇଁଷିଆ ଯମକୁ ଯେମିତି ବାନ୍ଧି ଦେଇଛନ୍ତି ଘର ଖୁଣ୍ଟରେ ।ଏବେ ସେ ଖଟିଆ ଆଉ ଖଟିଆ ଭିତର ମଣିଷ ଯେମିତି ଇଶ୍ୱରଙ୍କର ହିପାଜତ୍ ରେ ।
ଖଟିଆରେ ବନ୍ଧା ବାଉଁଶକୁ ବୋହିବାରେ ଡାକ୍ତର ବାବୁ ଙ୍କର ଅନ୍ୟଭସ୍ତ କାନ୍ଧ ଫାଟି ଗଲାଣି ।କୁର୍ତ୍ତା ତଳେ ରକ୍ତ ଧାରେ ବୋହିଗଲାଣି ।ବୋହୁ…..କଣ ହେଲା ସେଇଠୁ ?ଇଶ୍ୱର ମାନେ କଣ ହାରନ୍ତି ?? ସବୁ ରକ୍ତ ନିଗିଡି ଗଲେ ବି ଖଟିଆର ଦାୟିତ୍ୱ ଆଜି ଇଶ୍ୱରଙ୍କର ବୋଧେ । ।
ଖଟିଆ ଭିତରେ କାତର ଜୁଳୁ ଜୁଳୁ ଆଖି ଦୁଇଟି ଦେଖୁଛି ତା ନିଜ ସ୍ୱାମୀକୁ ଆଉ ଡାକ୍ତରବାବୁଙ୍କୁ ବି। ସ୍ୱାମୀ ଙ୍କର ଏ ଖଟିଆ ବୋହା ବୋହି ର ଅଭ୍ୟାସ ଅଛି । ଦିନ ମଜୁରିଆ ଙ୍କ ହାତ ,କାନ୍ଧ ଶକ୍ତ ବି ଥାଏ ।ହେଲେ ଜଣେ ଅଜଣା ଡାକ୍ତରଙ୍କର ଏପରି ସାହାଯ୍ୟ ସେ କେବେ ଦେଖି ନ ଥିଲା ।

ମନ କହୁଥିଲା ନା…ନା…ଇଏ ଡାକ୍ତର ବେଶରେ ସ୍ୱୟଂ ଇଶ୍ୱର ହିଁ ଥିଲେ । ଏମିତି କଣ ଭେଟ ହୁଏ ଇଶ୍ୱରଙ୍କ ସାଥେ ??କି ଅଭାଗିନୀ ସତେ ସେ ।ପଥର ଇଶ୍ୱରକୁ ସେ ନିଇତି ପୂଜିଛି । ଆଉ ଏବେ ଯେତେବେଳେ ଚଳନ୍ତି ଇଶ୍ୱର ତା ସାମ୍ନାରେ ସେ ତାଙ୍କର ପାଦ ଧୂଳି ବି ନେଇ ପାରୁନି ।
ଈଶ୍ୱରଙ୍କର ଧଇଁ ସଇଁ ଶବ୍ଦ ଶୁଭୁଛି ।ଆହା କି କୋମଳ ସେ ।ଆଜି ଈଶ୍ୱର ବି କି ପରୀକ୍ଷା ଦେଉଛନ୍ତି ?ଇଶ୍ୱର ସେମିତି ଚାଲିଛନ୍ତି ।ଚଷମା ତଳୁ ଝାଳ ବୋହୁଛି ।ଖାଲ ଢିପ ଡେଇଁ..,ଆଖିରୁ ଜୁଳୁଜୁଳୁଆ ପୋକ ବାହାରି ଗଲାଣି,ବେକରେ ଷ୍ଟେଥୋ ଟା ବି ମହଣେ ଓଜନ ଲାଗୁଛି ।ଯିବାକୁ ହେବ ଆଗକୁ ।
ବେଳେ ବେଳେ ପଛକୁ ଫେରି ଡାକ୍ତରବାବୁ ଦେଖୁଛନ୍ତି ଖଟିଆ ଭିତର କାତର ମଣିଷଟିକୁ ।କହୁଛନ୍ତି ବ୍ୟସ୍ତ ହୁଅନା ।ତୁମକୁ ଜୀବନର ରାସ୍ତାକୁ ନେଉଛି ।ମାତ୍ର ଦଶ କିଲୋମିଟର ।ଏଇ ଦଶ କିଲୋମିଟର ହେଉଛି ମୃତ୍ୟୁରୁ ଜୀବନକୁ ରାସ୍ତା ।ଆମେ ପାରି ହୋଇଯିବା ।

ଖଟିଆ ଭିତରୁ କାତର ଆଖିଦୁଇଟିରେ ଏବେ ବନଚିବାର ଆଶା ।ହଁ,ସେ ଆଜି ଇଶ୍ୱର କାନ୍ଧରେ ବୁହା ହେଉଛି ।ଜିଇଁବାକୁ ପଡିବ ତାକୁ ଯେମିତି ହେଲେ ବି..
ସକାଳ ହେବାକୁ ଟିକେ ବାକି ଅଛି..ହେଲେ ରୋଗୀ ଏବେ ହସପିଟାଲ୍ ରେ ।ଅନେକ ଚେଷ୍ଟା କରି ମଧ୍ୟ ଛୁଆକୁ ବଞ୍ଚାଇ ହେଲାନି ହେଲେ ଛୁଆର ମା ଏବେ ସୁରକ୍ଷିତ ।
ସ୍ତ୍ରୀଲୋକଟିର ଚେତା ଫେରି ଆସିଥିଲା । ପାଖରେ ତା ସ୍ୱାମୀ ଆଉ ଛୋଟ ପୁଅଟି ।ସେମାନଙ୍କର ଆଖିରେ ଖୁସିର ଝଲକଟିଏ …।
ସ୍ତ୍ରୀ ଲୋକଟିର ଆଖି ଆଉ କହାକୁ ଖୋଜୁଥଲା..ଅସ୍ପଷ୍ଟ ସ୍ୱରରେ ପଚାରିଲା ମୋର୍ ଇଶ୍ୱର୍ ଡାକ୍ତର ବାବୁ କାହାଁନ୍ତି??ତାଙ୍କେ ଦେଖମି ମୁଇଁ ଥରେ..
ନର୍ସଟି ଗମ୍ଭୀର ଭାବେ କହିଲା..ସେ ଖୁବ୍ ଅସୁସ୍ଥ..
ସ୍ତ୍ରୀ ଲୋକଟିର ଆଖିରୁ ନୀରବରେ ଦୁଇଧାର ଲୁହ ଖସି ଆସିଲା ।
ନର୍ସ ଟିର କଥା ଶୁଣି ସେ ସ୍ତ୍ରୀ ଲୋକଟିର ସପରିବାର ହାତଟେକି ଅଦୃଶ୍ୟ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରୁଥିଲେ ..ସେ ଜୀବନ୍ତ ଇଶ୍ୱରଙ୍କର ସୁସ୍ଥତା କାମନା କରି …।

LEAVE A REPLY

Please enter your comment!
Please enter your name here