ପ୍ରେମିକା ସବୁ ବେଳେ ଭଲରେ ରହୁ ବୋଲି ପ୍ରତାରିତ ପ୍ରେମିକ ଟିଏ ସବୁ ବେଳେ କହୁଥାଏ ହେଲେ ମନ କଣ ସେଇଆ କୁହେ ??ମୋ ମନ ତ ବେଳେ ବେଳେ କୁହେ ସେ ଦୁନିଆରେ ସେ ସବୁଠୁ ବେଶୀ କଷ୍ଟ ପାଆନ୍ତା କି ??ସେ ଟିକେ ମୋ ବିଷୟରେ ଭାବି ଲୁହ ଗଡାନ୍ତା…ଜୀବନରେ ମୋତେ ଛାଡି ବଡ ଭୂଲ୍ କରିଛି ବୋଲି ବାହୁନି ହୁଅନ୍ତା …ତା ହେଲେ ଯାଇ ତାକୁ ଟିକେ କ୍ଷମା କରାଯାଇ ପାରନ୍ତା । ଏମିତି ଏକ ହିଂସ୍ର ପ୍ରତିଶୋଧ କେବେ କେବେ ମନରେ ଉକୁଟି ମାରେ ମୋର ।ନିତି ପ୍ରେମିକା ଲାଗି ଲେଖା ଯାଉଥିବା ଫର୍ଦ୍ଦ ଫର୍ଦ୍ଧ ବିରହ କବିତା ମାଧ୍ୟମରେ କେଉଁଠି ନା କେଉଁଠି ଲୁଚି ରହିଥାଏ ଗୋଟିଏ ବିଦ୍ରୋହର ନିଆଁ, ଯେଉଁ ନିଆଁରେ ସେ ଜଳୁ ବୋଲି ଏକ କେଉଁ ଅଦମ୍ୟ ଇଛା ମୋ ଭିତରେ ରହୁଛି ବୋଲି ଅନେକ ଦିନ ପରେ ଜାଣିଲି ।

ଆଉ ଦେଖ,ସେଇ ନିଆଁରେ ଜଳି ମୁଁ ଆଉ କାହାକୁ ପ୍ରେମ କରି ପାରୁ ନ ଥିଲି ।ଏତେ ଯାଏଁ ଝିଅଟେ ପସନ୍ଦ କରି ବାହା ବି ହୋଇ ପାରୁ ନ ଥିଲି ।ସୋହେଲା ଭଳି ସୁନ୍ଦରୀ ଝିଅ ମୋ ଉପରେ ଓଜାଡି ହୋଇଗଲେ ବି କିଛି ହୁଏନା ମୋ ଭିତରେ ।ଗଭୀର ପ୍ରେମ ସବୁ ବୋଧେ ଏଭଳି ହୁତୁ ହୁତୁ ନିଆଁ ଭଳି ।

ଶୋଭାର ହସ ହସ ମୁହଁ ଦେଖିଲେ ମୋ ଦେହରେ ଲୁଣ ଲାଗି ଯାଏ ।ଛୁଞ୍ଚି ଫୋଡି ହୁଏ ।ତାର ହସ ମୁହଁ ମୋର ବରଦାସ୍ତ ର ବାହାରେ ।ଅଫିସ୍ ରେ ଆସିବା ଠୁ ଗଲା ଯାଏଁ ସେ ଖୁସିରେ ଥାଏ ।ପ୍ରଗଳଭ ହୋଇ ଗପେ ।କଥା କଥା ରେ ମୋ ହଜବେଣ୍ଡ ଏମିତି ..ସେମିତି ବୋଲି ଅନ୍ୟଙ୍କୁ ଜଣାଉ ଥାଏ ।ସମସ୍ତଙ୍କୁ ନିଜ ଘରକୁ ଡାକେ ।ନିଜକୁ ହର ରକମ ସଜାଉ ଥିବା ପ୍ରେମିକା କୁ ଦେଖି ମୋତେ ଇର୍ଷା ହୁଏ ।ହଁ ,ଇର୍ଷା ହୁଏ ବୋଲି ତ ମୁଁ ଅଣଦେଖା କରି ପାରେନି ତାକୁ ।ଦୂରରୁ ଥାଇ ବି ଲକ୍ଷ୍ୟ ଥାଏ ତା ଉପରେ ମୋର ।ଅଦୃଶ୍ୟରେ ବି ତା ଦେହ ମୋ ଦେହ ପାଖା ପାଖି ହୋଇ ରହିଥାଏ ।ତା ନିଃଶ୍ୱାସ ମୋ ଦେହରେ ବାଜେ ।ଅନ୍ଧାର ରାତିରେ…. ଛାତର ଦେହରେ ତା ଚିତ୍ର ଆଙ୍କୁ ଥାଏ ।

– ମେ ଆଇ କମ୍ ଇନ୍ ସାର୍??ଶୋଭାର ଭଏସ୍ ।ନିଜକୁ ସଜାଡି ନେଇ “ୟେସ୍”କହିଲି ।ସେ ଭିତରକୁ ଆସିଲା ।କହିଲା…-ସାର୍,ପ୍ରୋଜେକ୍ଟ ଫାଇଲ୍ ଟା ଟିକେ ଦେଖି ନିଅନ୍ତୁ ।-ଇସ୍,ସୁନ୍ଦର ନିର୍ଭୂଲ୍ ପ୍ରୋଜେକ୍ଟ ଟିଏ ।ପ୍ରଶଂସାର ଯୋଗ୍ୟ, ବଟ୍ ଆଇ କ୍ୟାଣ୍ଟ ପ୍ରେଜ୍ ହର୍ । ମିଛଟାରେ ଚିତ୍କାର କରି ଉଠିଲି …..ଏଇଟା କି ପ୍ରୋଜେକ୍ଟ ??ଏଭଳି କାମ ଲାଗି କମ୍ପାନୀ ରଖିନି ତୁମକୁ ।କେୟାର ଲେସ୍ ଲେଡି ।କାମ କରିବାକୁ ଇଛା ନାହିଁ ତ ଚାକିରି ଛାଡ ।ଘରେ ଅୟେସ୍ କର।

– ସରି ସାର୍..ଆଇ ଉଇଲ୍ ଡୁ ଫର୍ ମାଇଁ ବେଷ୍ଟ ।ଗିଭ୍ ମି ସମ୍ ଟାଇମ୍ ।
ତା ହସ ମୁହଁ ଟା ଟିକେ ମଉଳି ଆସୁଥିଲା । ମୁଁ ଅପେକ୍ଷା କରିଥିଲି ତା ଆଖିରୁ ଟୋପାଏ ଲୁହ ଝରନ୍ତା କି? ହେଲେ ନା….ସେ ପୁଣି ସ୍ମାଇଲିଂ କରି ଚାଲିଗଲା ।ମୋର ନାକ କାନ୍ଦୁରୀ ପ୍ରେମିକା କେମିତି ବିବାହ ପରେ ସ୍ମାଇଲିଂ କରିବା ଶିଖିଗଲା?ହଁ,ଶୁଣିଥିଲି ତା ହଜବ୍ୟାଣ୍ଡ ବଡ ଗୋଟେ ପୋଷ୍ଟରେ ଅଛି ଆଉ ହ୍ୟାଣ୍ଡସମ୍ ବି ।ଏଇଟା କଣ ତା ସ୍ମାଇଲିଂର କାରଣ । ଇର୍ଷା ରେ ମୋ ଆଖିରେ ଲୁହ ଜକେଇ ଆସୁଥିଲା ।

ମୋର ସବୁ ଚେଷ୍ଟା ଚାଲିଥିଲା ତାକୁ ଯନ୍ତ୍ରଣା ଦେବାକୁ…..କ୍ଷତାକ୍ତ କରିବାକୁ…..କଲବଲ କରିବାକୁ… ହେଲେ ମୁଁ ନିଜ ଭିତରେ ନିଜେ ହାରି ଯାଉଥିଲି ତା ସ୍ମାଇଲିଂଆଗରେ ।ଓଃ… ବିବାହିତ ପ୍ରେମିକା ମାନଙ୍କର ହସ ବି କି ଭୟାନକ ??ହାଣିଦିଏ ଟୁକୁରା ଟୁକୁରା କରି କଲିଜାଟାକୁ ।ଏମାନଙ୍କର ଗୋଟିଏ ହସ ବି ଜୀବନ ନେବାକୁ ଯଥେଷ୍ଟ ।

ସନ୍ଦୀପ ବାର ବାର ମୋତେ କୁହେ,ତୁ ଶୋଭାକୁ ଭୂଲି ଯା ।ନ ଭୂଲିଲେ ତୋର ମାନସିକ ବିକୃତି ଘଟିବ ।ହେଲେ କେମିତି ଭୂଲିବି ଯେତେବେଳେ କି ମୁହଁରେ ପାଛିଏ ହସ ନେଇ ,ଦେହରେ ରଂଗର ଯୌବନ ନେଇ ସେ ମୋ ଆଗରେ ଟଂଗ ଟଂଗ ହେଉଛି ?ତା ପ୍ରତି ମୋର ଇର୍ଷା ଫଣାୟିତ ସର୍ପ ପରି ମୁଣ୍ଡ ଟେକି ଉଠେ ।ସବୁ ଭୂଲିଯାଏ ମୁଁ ।ସବୁ କିଛି ।ମୋ ପ୍ରତି ତାର ସବୁ ଅବଦାନ ଗୁଡିକୁ ବି ।ମୋ ପରୀକ୍ଷା ଫିସ୍ ଭରିବା,ମୋ ଏକ୍ସିଡେଣ୍ଟ ସମୟରେ ମୋ ଦାୟିତ୍ୱ ନେବା,ମୋ ଫାଙ୍କା ପକେଟରେ ପଇସା ଭରିବା,ମୋ ଭୋକ ପେଟରେ ଦାନା ବି ଦେବା ….ସବୁକିଛି ।

ମୁଁ ବି କେଉଁ ଅଣଦେଖା କରିଥିଲି ତାକୁ?ଟିକେ ଅପେକ୍ଷା ତ କରିବାକୁ କହିଥିଲି ଚାକିରିଟେ ଖୋଜିବା ଯାଏଁ ?ତା ପରେ ଆପଣେଇ ନେଇ ଥାଆନ୍ତି ।ସେଇ ଆପଣେଇ ନେବାର ବିଶ୍ୱାସରେ ମୁଁ କେବେ ତା ସହ ଅନ୍ତରଙ୍ଗ ମୁହୁର୍ତ୍ତଟେ ବି କାଟି ନ ଥିଲି ।ଆଉ ଗୋଟିଏ ଚିଠିରେ ସେ ସବୁ ସାରିଦିଏ ।ଲେଖିଥିଲା ବାପାଙ୍କ ଅସୁସ୍ଥତା ହେତୁ ତାଙ୍କ ଇଛାରେ ବିବାହ କରୁଛି …ମୋତେ ଅପେକ୍ଷା କରିବନି ।ହଁ ତ, ଚିଠି ଟା ପାଇଲା ପରେ ମୁଁ ଅପେକ୍ଷା କରିନି ତାକୁ ଆଉ ।ଚାକିରି କରିଛି…ଭୂଲିବାକୁ ଚେଷ୍ଟା କରିଛି ।ହେଲେ ଏବେ ଏଇ ଅଫିସ୍ କୁ ଟ୍ରାନସ୍ଫର ହେଇ ଆସିଲି ତା ବସ୍ ହିସାବରେ ।ଆଉ ତା ପରେ???ମୋ ଭିତରେ ଜ୍ୱଳନ..ଇର୍ଷା…ତାକୁ ଦେଖିଲା ପରେ ।

ଉଫ୍…କେବେ ଥରେ ମିଛରେ ହେଲେ କାନ୍ଦନ୍ତା କି?ତା ଲୁହରେ ମୋ ଜ୍ୱଳନ ଶୀତଳ ହୋଇ ଯାଆନ୍ତା ।ହେଲେ ସେମିତି କିଛି ହୁଏନା ।ସେ ସବୁବେଳେ ଖୁସ୍ ।ସତରେ କେତେ ଅସହାୟ ପ୍ରେମିକଟେ ମୁଁ?ତା ଜୀବନ ସାଥୀ ହୋଇ ପାରିଲିନି କି ତା ଆଖିରୁ ବୁନ୍ଦାଏ ଲୁହ ହୋଇ ଝରିପାରିଲିନି ।ଧିକ୍ ମୋ ପ୍ରେମ ଆଉ ମୋ ପ୍ରେମିକ ପଣିଆକୁ ବି ।

ଓଃ…ଏଇ ଗଳିରେ ହିଁ ମୋର ଗାଡି ଖରାପ ହେବାର ଥିଲା??ଘରୁ ବାହାରିଲା ବେଳେ ବାରବାର ଭାବିଥିଲି ରବିବାରଟାରେ ଯୁଆଡେ ଯାଏ ପଛେ ଏ ଗଳି ଦେଇ କେବେ ଯିବିନି ହେଲେ ମୋ ଗାଡିର ଷ୍ଟିୟରିଂଟା ଏଇ ଗଳି ଆଡକୁ ହିଁ ଥିଲା ।ଏବେ ଗାଡି ଆଉ ମୁଁ ଦୁହେଁ ଖରାପ ଅବସ୍ଥାରେ ।ଭଗବାନଙ୍କୁ ଡାକୁ ଥିଲି ଯେମିତି ଶୋଭା ହାବୁଡରେ ନ ପଡେ ମୁଁ ।ହେଲେ ମୋ ଇଛା କେବେ ପୂରଣ ହୁଏ କି?ସେଇ ସ୍ମାଇଲିଂ ଫେସ୍ ରେ ଶୋଭା ମୋ ଆଗରେ …

ସାର୍…ଏଇ ପାଖରେ ମୋର ଘର ।ଆପଣ ଚାଲନ୍ତୁନା ।ସେଠି ବସିଥିବେ ମୁଁ ମେକାନିକ୍ କୁ ଡାକିଦେବି ।ଗାଡି ଠିକ୍ ହେଇଗଲେ ମୋଟେ ଅଟକେଇବିନି ଆଉ ।ମୋ ହଜବ୍ୟାଣ୍ଡ ଆପଣଙ୍କୁ ଦେଖିଲେ ଖୁବ୍ ଖୁସି ହେବେ ।ମୋ ଦେହରେ ଜ୍ୱଳନ ଆଉ ଜ୍ୱଳନ ।ତଥାପି ତା ଘର ଆଉ ବର ଦେଖିବାର ଦୁର୍ବାର ବାସନା ମୋ ଭିତରେ।ଠିକ୍ ଅଛି ଥରେ ମୁହାଁ ମୁହିଁ ହେବା ହିଁ ଭଲ ।ସେ ଆଗେ ଆଗେ ଆଉ ମୁଁ ତା ପଛେ ପଛେ ।

ମେକାନିକ୍ କୁ ଫୋନ୍ କରି ସେ ମୋତେ ଯେଉଁଠିକୁ ନେଇଗଲା ମୁଁ ହତବାକ୍ ହେଲି ।ଦୁଇବଖୁରିଆ ଆଜବେସଟସ୍ ଘର ଟେ ।ହସି ହସି କହିଲା ଏଇଟା ମୋ ମହଲ ।ମୁଁ ତାକୁ ଆଁ କରି ଅନେଇଥିଲି ।ଭିତର ଘରକୁ ଡାକିନେଲା ।ସେଠି ଜଣେ ଜୀର୍ଣଶୀର୍ଣ ମଣିଷ ଖଟରେ ଶୋଇଥିଲେ ।ଶୋଭା କହିଲା ..ଏ ମୋର ସ୍ୱାମୀ ।କୋମାରେ ଶରୀର ଆଉ ମସ୍ତିଷ୍କ ଅକାମୀ ।ହେଲେ କେବେଠୁଁ??

–ଆରମ୍ଭରୁ ହିଁ ।ବାହାଘର ପର ଦିନ ଫେରିଲା ବେଳକୁ ଏକ୍ସିଡେଣ୍ଟ ହୋଇଗଲା କୁହୁଡିଆ ରାସ୍ତାରେ ।ମୋତେ ବଞ୍ଚାଇବାକୁ ଯାଇ ସେ ମୋତେ ବଳ ପୂର୍ବକ ଗାଡିରୁ ପେଲି ଦେଲେ ସିନା ହେଲେ ନିଜେ ଆଉ ବାହାରି ପାରିଲେନି ।ସମସ୍ତେ କହିଲେ ନିଜ ଭବିଷ୍ୟତ ଦେଖ ।ହେଲେ ମୁଁ ଦେଖୁଥିଲି ସେ କେମିତି ମୋତେ ବଞ୍ଚାଇବାକୁ ଯାଇ ମୋ ହାତ ଧରି ସେ ଗାଡିରୁ ପେଲି ଦେଇ ନିଜେ ଫସି ଯାଇଥିଲେ ।

ତା ପରେ ସବୁ ନିଲାମ ହେଇଗଲା ..ଘର ,ଗାଡି,କମ୍ପାନୀ ସବୁ ।ହେଲେ କସ୍ତୁରୀ କୁ ମୁଁ ଏ ଯାଏଁ ସାଇତି ରଖିଛି ସାର୍ ।ସେ ମୋ ହାତ ଟାଣି ନେଇ ତା ସ୍ୱାମୀଙ୍କୁ ଦେଖାଇ କହିଲା..ଦେଖନ୍ତୁ ସାର୍,ସେ କେତେ ଖୁସି ଆପଣଙ୍କୁ ଦେଖି??ମୋ ତଣ୍ଟି ଶୁଖି ଯାଉଥିଲା ।ମୁଁ ତା ମୁହଁ କୁ ଦେଖିଲି..ସେ ହସୁଥିଲା ।ଚା..କରିବ କହି ଚାଲିଗଲା ।ନା…ମୁଁ ଆଉ ରୋକି ପାରୁ ନ ଥିଲି ନିଜକୁ ।ଆଖିରେ ଆଖିଏ ଲୁହ ଥିଲା ମୋର ।ଶୋଭା. ନାଲି ଚା କରୁଥିଲା ।

–ଶୋଭା….

-କିଛି କହିବ ବୁଲୁଭାଈ??

-ତା ବୁଲୁଭାଈ ଡାକରେ ମୋ ଭିତରେ ପୁରୁଣା ପ୍ରେମିକ ପୁଣି ଯେମିତି ଜାଗି ଉଠିଲା ।ଥର ଥର ହୋଇ କହିଲି…ତୁ ଦେବୀଟେ ।ମୁଁ ତୋତେ ଭୂଲ୍ ବୁଝିଛି ରେ।ମୋତେ କ୍ଷମା କରିଦେ ।-ହଁ,ବୁଲୁଭାଈ ଏ ପବିତ୍ର ଦେହକୁ କେବଳ ଦେବୀ ହିଁ କହିହେବ ।ଦେବୀ ମାନଙ୍କ ଶରୀର କ୍ଲୀଷ୍ଟରେ ଭରପୁର ।ଶୋଭାର ପତ୍ନୀ ହେବାର ପରାକାଷ୍ଠା ଦେଖି ସାରିଥିଲି ହେଲେ ତା ଦେହର ଯନ୍ତ୍ରଣା?? ମୋ ଅଜଣାତରେ ମୁଁ ତାର ଅତିପାଖକୁ ଯାଇ ସାରିଥିଲି ।

ସେ ଦେବୀଟେ ପରି ଠିଆ ହୋଇଥିଲା ପଥର ପରି ଆଖି ବୁଜି ।ଯିଏ ନିଜର ଇଛା ବ୍ୟକ୍ତ କରିବାରେ ବି ଅସମର୍ଥ ।ଥର ଥର ଓଠ ତାର ।ଏଇ ଓଠକୁ ନେଇ କେତେ କବିତା ଲେଖିଛି ମୁଁ ।ଏଇ ଓଠ ଛୁଇଁବାର ଇଛାରେ ଆଜିଯାଏ ଅବିବାହିତ ହୋଇ ବୁଲୁଛି ।ଇସ୍..ମୋ ଦେହରେ ବି ଯନ୍ତ୍ରଣା ଆଉ ପ୍ରେମର ଲହଡି….

ପଥର ଅହଲ୍ୟା ଯେପରି ଜୀବନ୍ୟାସ ପାଇବାର ଅପେକ୍ଷାରେ…ମୋ ଓଠ ତା ଓଠର ପାଖା ପାଖି…ହେଲେ ଏ କଣ??କାନ୍ଥ ଭେଦ କରି ଆର ଘରୁ ଗୋଟେ ଜୀଅନ୍ତା ଶବର ନିଃଶ୍ୱାସ ଶୋଭାର ଦେହ ସାରା ଲେପି ହୋଇ ଯାଉଛି ।ସେ ନିଃଶ୍ୱାସର ଗନ୍ଧ ଯେପରି ଶୋଭା ଦେହକୁ କବଳିତ କରି ରଖିଛି ଆଉ ସେ ନିଶ୍ୱାସର ଗନ୍ଧରେ ମୋ ଶରୀର ଯେମିତି ଧୀରେ ଧୀରେ ହେମାଳ ହେବାରେ ଲାଗିଛି …।ସାମ୍ନାରେ କାମନାର ଦେବୀ ଆଉ ମୁଁ ପାଲଟି ଯାଇଛି ଚନ୍ଦ୍ରସେଣା ।ଗୋଟିଏ ଜୀଅନ୍ତା ଶବର ଏ କି ଶକ୍ତି, ଯିଏ ମୋତେ ଭୟଭୀତ କରଉଛି??

ନା…ମୋ ପାଦ ଏବେ ପଛକୁ ପଛକୁ…ଶୋଭା ତୋ ଆଖି ଏମିତି ବୁଜି ରହିଥାଉ ମୁଁ ଅନ୍ଧାରରେ ହଜିଯିବା ଯାଏଁ ।ଆଞୁଳାଏ ସ୍ନେହ ଦେଇ ପାରିଲିନି କେଉଁ ଗୋଟେ ପାପବୋଧରେ ।ଶୋଭା ହସୁଥିଲା…ତା ଆଖିରୁ ଖସୁଥିଲା ଠୋପା ଠୋପା ଲୁହ ଯାହା ଦିନେ ମୋର କାମ୍ୟ ଥିଲା ।ଛାତି ଫଟେଇ ପ୍ରଳାପ କରିବାର ଇଛାରେ ମୁଁ ଜନଗହଳି ରାସ୍ତାରେ ଅନ୍ଧାର ଜାଗାଟେ ଲୋଡୁଥିଲି ….

LEAVE A REPLY

Please enter your comment!
Please enter your name here